କନକ ବ୍ୟୁରୋ : ସହମତି ଭିତ୍ତିରେ ନାବାଳିକା ପତ୍ନୀ ସହ ଶାରୀରିକ ସମ୍ପର୍କ ରଖିବା ବି ଦୁଷ୍କର୍ମ । ଏକ ମାମଲାର ଶୁଣାଣି ସମୟରେ ଏପରି ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଯଦି ପତ୍ନୀ ନାବାଳିକା ହୋଇଥିବେ, ତେବେ ତାଙ୍କ ସହମତିରେ ବି ଶାରୀରିକ ସମ୍ପର୍କ ରଖିବା ଆଇନ ଅନୁସାରେ ଅପରାଧ ବୋଲି କୋର୍ଟ କହିଛନ୍ତି । ସୂଚନା ଅନୁସାରେ, ମହାରାଷ୍ଟ୍ରର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।  ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କ ସ୍ୱାମୀଙ୍କୁ ନିମ୍ନ ଅଦାଲତ ଦେଇଥିବା ୧୦ ବର୍ଷ ଜେଲ୍ ଦଣ୍ଡକୁ ବଳବତ୍ତର ରଖିଛନ୍ତି । ଏଥିସହ ୧୮ ବର୍ଷରୁ କମ୍ ବୟସର ଝିଅଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ଦୁଷ୍କର୍ମ, ସେ ବିବାହିତା ହୋଇଥିଲେ ବି ଏହା ଦୁଷ୍କର୍ମ ବୋଲି ହାଇକୋର୍ଟ କହିଛନ୍ତି । ମାମଲା ଅନୁସାରେ, ମହିଳା ଜଣକ ଅଭିଯୋଗ କରିଥିଲେ ଯେ, ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ସେତେବେଳେ ତାଙ୍କ ସ୍ୱାମୀ ଜୋର୍ ଜବରଦସ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ପରବର୍ତ୍ତୀ ସମୟରେ ସେ ଗର୍ଭବତୀ ହେବାରୁ ବାଧ୍ୟବାଧକତାର ସହ ବିବାହ କରିଥିଲେ । କିନ୍ତୁ ବିବାହ ପରେ ତାଙ୍କ ସ୍ୱାମୀ ସବୁବେଳେ ନିର୍ଜାତନା ଦେଇ ଆସୁଥିବା ଅଭିଯୋଗ କରିଥିଲେ । ଏପରିକି ଗର୍ଭସ୍ଥ ଶିଶୁକୁ ମଧ୍ୟ ଆବୋରସନ୍ କରାଇବାକୁ ଚାପ ପକାଉଥିଲେ । କେବଳ ଏତିକି ନୁହେଁ, ଗର୍ଭସ୍ଥ ଶିଶୁ ଆଉ କାହାର କହି ମାନସିକ ନିର୍ଜାତନା ମଧ୍ୟ ଦେଉଥିଲେ। ଏହାକୁ ନେଇ ଯୁବତୀ ଜଣକ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ସେ ନାବାଳିକା  ଥିବାରୁ ଅଦାଲତ ତାଙ୍କ ସ୍ୱାମୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ନିମ୍ନ ଅଦାଲକଙ୍କ ରାୟକୁ ତାଙ୍କ ସ୍ୱାମୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିବା ସହ ନାବାଳିକା ପତ୍ନୀର ଅନୁମତିରେ ଶାରୀରିକ ସମ୍ପର୍କ ସ୍ଥାପନ ଅପରାଧ, ଏହା ଆଇନ ଦୃଷ୍ଟିରେ ଦୁଷ୍କର୍ମ ବୋଲି କହିଛନ୍ତି ।