କନକ ବ୍ୟୁରୋ: ଗୁଜରାଟର ଅହମ୍ମଦାବାଦ ଓ ଭଡୋଦରାର ୨୮ ସ୍କୁଲକୁ ସୋମବାର ବୋମା ରହିଥିବା ନେଇ ଧମକ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ସଙ୍ଗେ ସଙ୍ଗେ ସ୍କୁଲଗୁଡ଼ିକୁ ଖାଲି କରି ତଲାସି ନିଆଯାଇଥିଲା । ତେବେ ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିବା ପୁଲିସ ପକ୍ଷରୁ କୁହାଯାଇଛି । ଅହମ୍ମଦାବାଦର ୧୫ରୁ ଅଧିକ ସ୍କୁଲକୁ ବୋମା ଧମକ ଇମେଲ ଆସିଥିଲା ବୋଲି ଜିଲ୍ଲା ଶିକ୍ଷାଧିକାରୀ ରୋହିତ ଚୌଧୁରୀ କହିଛନ୍ତି । ସ୍କୁଲଗୁଡ଼ିକୁ ନିକଟସ୍ଥ ପୁଲିସ ଷ୍ଟେସନକୁ ତୁରନ୍ତ ସୂଚନା ଦେବା ସହିତ ସୁରକ୍ଷା ପ୍ରୋଟକଲ ଅନୁସରକଣ କରିବାକୁ କୁହାଯାଇଥିଲା। ଭଡୋଦରା ପୁଲିସ କମିସନର୍‌ ନରସିମା କୋମାର କହିଛନ୍ତି, ୧୩ଟି ସ୍କୁଲରୁ ବୋମା ଧମକ ଥିବା ଇମେଲ ଆସିବା ନେଇ ସୂଚନା ମିଳିଥିଲା ।

Advertisment

 ଅଧିକ ପଢନ୍ତୁ: ୧୮ ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ: ଆକ୍ସନ ମୋଡ୍‌ରେ ପ୍ରଶାସନ

ତୁରନ୍ତ ସ୍ଥାନୀୟ ପୁଲିସ, ଏସ୍ଓଜି, କ୍ରାଇମ ବ୍ରାଞ୍ଚ ଓ ବୋମା ନିଷ୍କ୍ରିୟ ଦଳ ସ୍କୁଲଗୁଡ଼ିକରେ ପହଞ୍ଚି ତଲାସି କରିଥିଲେ । ଭାରତକୁ ଖଲିସ୍ତାନରେ ପରିଣତ କରିବାକୁ ଏଥିରେ ଧମକ ଦିଆଯାଇଛି। ଜାନୁଆରି ୨୬ ପୂର୍ବରୁ ଅହମଦାବାଦର ଅନେକ ସ୍କୁଲକୁ ଏପରି ଧମକ ମିଳିଥିଲା ବୋଲି ସିଟି କ୍ରାଇମ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ସୋମବାର ଝଣ୍ଡେୱାଲାନର ବିଟି ତାମିଲ ସ୍କୁଲ, ସର୍ଦ୍ଦାର ପଟେଲ ବିଦ୍ୟାଳୟ ଏବଂ ବ୍ରିଟିଶ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଥିଲା । ପୁଲିସ କହିଛି ଯେ, ସକାଳ ପ୍ରାୟ ୯ଟା ୧୨ ମିନିଟ ସମୟରେ ତିନୋଟି ସ୍କୁଲରୁ ବୋମା ଧମକ ବିଷୟରେ ଫୋନ୍ ଆସିଥିଲା । ପରେ ଅନ୍ୟ ସ୍କୁଲ ସମାନ ବୋମା ଧମକ ଥିବା ଇମେଲ୍ ଆସିବା ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ଏହାପୂର୍ବରୁ ଦିଲ୍ଲୀର ୧୩ ସ୍କୁଲ ଓ ସଂସଦକୁ ବୋମାରେ ଉଡ଼େଇ ଦେବାକୁ ଧମକ ମିଳିଥିଲା ।