କନକ ବ୍ୟୁରୋ : ବିମାନରେ ପୁଣି ବୋମା ଧମକ । ରାତିରୁ ସକାଳ ମଧ୍ୟରେ ଦୁଇ ଦୁଇଟି ବିମାନରେ ବୋମା ଥିବା ନେଇ ଧମକ ମିଳିବା ପରେ ଏବେ ଏକାସାଙ୍ଗେ ୧୦ଟି ବିମାନରେ ବୋମା ନେଇ ଧମକ ଆସିଛି । ଯେଉଁ ୧୦ଟି ବିମାନକୁ ବୋମା ଧମକ ମିଳିଛି ସେଥିମଧ୍ୟରୁ ୫ଟି ଇଣ୍ଡିଗୋର ହୋଇଥିବା ବେଳେ ଆଉ ୫ଟି ଆକାଶ ଏୟାରଲାଇନ୍ସର ଥିବା ଜଣାପଡିଛି । ଦେଶରେ ଏବେ ଲଗାତର ବଢ଼ି ଚାଲିଛି ବିମାନକୁ ବୋମା ଧମକ ମାମଲା ।  ଫଳରେ ବିମାନ ଚଳାଚଳ ସେକ୍ଟରରେ ଆତଙ୍କ ଖେଳି ଯାଇଛି । ଧମକ ମିଳିବା ପରେ ସମସ୍ତ ବିମାନକୁ  ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇ ଯାଞ୍ଚ କରାଯାଇଛି । ରାତିରୁ ସକାଳ ମଧ୍ୟରେ ଦୁଇଟି ଅନ୍ତର୍ଜାତୀୟ ବିମାନକୁ ଏଭଳି ଧମକ ମିଳିଥିଲା । ଦିଲ୍ଲୀରୁ ଲଣ୍ଡନ ଯାଉଥିବା ବିସ୍ତାରା ବିମାନ ଓ ଏୟାର ଇଣ୍ଡିଆର ଏକ ଅନ୍ତର୍ଜାତୀୟ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏହି ଘଟଣା ପାଇଁ ଅନେକ ବିମାନ ବିଳମ୍ବରେ ଉଡାଣ ଭରିଛି । ଯେଉଁଥି ପାଇଁ ଅନେକ ଯାତ୍ରୀଙ୍କୁ ସମସ୍ୟା ଭୋଗିବାକୁ ପଡିଛି। ତେବେ ଗତ ସପ୍ତାହେ ମଧ୍ୟରେ ଅନେକ ବିମାନକୁ ବୋମା ଧମକ ମିଳିବାରେ ଲାଗିଛି । ଗୋଟାଏ ସପ୍ତାହ ମଧ୍ୟରେ ୭୦ଟି ବିମାନକୁ ବୋମା ଧମକ ମିଳିଥିବା ଜଣାପଡ଼ିଛି । ସେପଟେ ଡିଜିସିଏ ସମସ୍ତ ଧମକପୂର୍ଣ୍ଣ କଲ୍‌ ଉପରେ ନଜର ରଖିଛି । ମିଥ୍ୟା ବୋମା ଧମକକୁ ରୋକିବା ପାଇଁ ଅପରାଧୀଙ୍କୁ 'ନୋ-ଫ୍ଲାଏ' ତାଲିକାରେ ରଖିବା ସହିତ କଡା ନିୟମ ଲାଗୁ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୋଜନା କରୁଛି । ଏହି ତାଲିକାର ଉଦ୍ଦେଶ୍ୟ ହେଉଛି ମନ୍ଦ ଉଦ୍ଦେଶ୍ୟ ଥିବା ଯାତ୍ରୀମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ବିମାନରେ ଯିବାକୁ ବାରଣ କରିବା।