କନକ ବ୍ୟୁରୋ: ଆଇପିଏଲ ଉପରେ ଆତଙ୍କୀଙ୍କ ନଜର । ଗତକାଲି କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମକୁ ମିଳିଥିଲା ବୋମାରେ ଉଡ଼ାଇଦେବାର ଧମକ ଆଉ ଏବେ ଜୟପୁର ଷ୍ଟାଡିୟମକୁ ମିଳିଛି ଧମକ । ଇମେଲ୍ ଜରିଆରେ ଏହି ଧମକ ମିଳିଛି । ଧମକ ମିଳିବା ପରେ ତୁରନ୍ତ କର୍ମଚାରୀଙ୍କୁ ବାହାର କରି ଷ୍ଟାଡିୟମ ଖାଲି କରାଯାଇଥିଲା । ଏହାପରେ ବମ୍ ସ୍କ୍ବାର୍ଡ, ଡଗ୍ ସ୍କ୍ୱାର୍ଡ, ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଷ୍ଟାଡିୟମର ଯାଞ୍ଚ କରୁଛନ୍ତି । ସେହପରି ସ୍ଥାନୀୟ ପୁଲିସ ବି ଘଟଣାସ୍ଥଳରେ ପହଞ୍ଚି ବାହାର ସ୍ଥିତି ଉପରେ ନଜର ରଖିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛନ୍ତି ।
ଏହି ମେଲ୍ ପାକିସ୍ତାନ ଜେକେ ଓ୍ୱେବ ନାଁରେ ଆସିଥିଲା । ଏଥିରେ ଲେଖା ଅଛି, ଅପରେସନ ସିନ୍ଦୂରର ସଫଳତା ପାଇଁ ଆମେ ତୁମ ଷ୍ଟାଡିୟମରେ ବମ ବିସ୍ଫୋରଣ କରିବୁ । ଯଦି ହୋଇପାରିବ ସମସ୍ତଙ୍କୁ ବଞ୍ଚାନ୍ତୁ । ଏହି ଧମକ ସେତେବେଳେ ମିଳିଥିଲା ଯେତେବେଳେ ଅପରେସନ ସିନ୍ଦୂର ପରେ ରାଜସ୍ଥାନକୁ ହାଇ ଆଲର୍ଟରେ ରଖାଯାଇଥିଲା ।
ସେହିପରି ଇଡେନ୍ ଗାର୍ଡେନରେ କୋଲକାତା ବନାମ ଚେନ୍ନାଇ ଆଇପିଏଲ୍ ମ୍ୟାଚ୍ ବେଳେ ବୋମା ବିସ୍ଫୋରଣ ଖବରକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ମ୍ୟାଚ୍ ବେଳେ ବୋମା ବିସ୍ଫୋରଣ ନେଇ ଇ-ମେଲ୍ ମିଳିବା ପରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଖୋଳତାଡ଼ ଆରମ୍ଭ ହୋଇଥିଲା । ବେଙ୍ଗଲ କ୍ରିକେଟ ଆସୋସିଏସନକୁ ଇ-ମେଲ୍ ଯୋଗେ ବୋମା ବିସ୍ଫୋରଣ ଖବର ମିଳିବା ପରେ ହଇଚଇ ଖେଳିଯାଇଥିଲା । ମେଲ୍ ପଠାଇଥିବା ଅଜ୍ଞାତ ବ୍ୟକ୍ତିଙ୍କ ଠାବ ପାଇଁ ପୁଲିସ ଛାନଭିନ୍ କରୁଛି ।