କନକ ବ୍ୟୁରୋ, ଲେଖା ମାଧ୍ୟମରେ ତ ବୁଝାଇ ହେବନି କି ଅନୁଭବ କରାଇ ହେବନି କିନ୍ତୁ ଯାଜପୁର ଜିଲ୍ଲାରେ ହୋଇଥିଲା ବିସ୍ଫୋରଣ ସମସ୍ତଙ୍କୁ ଆତଙ୍କିତ କରିଦେଇଛି । ଏଣେ ତେଣେ ପଡ଼ିଛି ଖଣ୍ଡଖଣ୍ଡ ମୃତଦେହ । ଛତିଆ ଦେଇ ଯାଇଥିବା ଜାତୀୟ ରାଜପଥ ନିକଟ ବାଇପାସ ବସ୍ ଷ୍ଟାଣ୍ଡ ନିକଟରେ ଘଟିଛି ବିସ୍ଫୋରଣ । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି ।

Advertisment

ସମୟ: ଅପରାହ୍ଣ ପାଖାପାଖି ସାଢ଼େ ୪ଟା, ସ୍ଥାନ: ବୈରୀ ଥାନା ଛତିଆ… କେହି କିଛି ଭାବିବା ଆଗରୁ ହଠାତ ହୋଇଥିଲା ବୋମା ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଯେଉଁ ଦୁଇଜଣଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ଖଣ୍ଡବିଖଣ୍ଡିତ ଶରୀର ଏତେତେଣେ ପଡ଼ିଥିଲା । ଏପରିକି ଏକ ପଲସର୍ ବାଇକ୍ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଖବର ପ୍ରଘଟ ହେବା ପରେ ଜମା ହୋଇଯାଇଥିଲେ ଲୋକେ । ଶରୀରର ଗୋଟିଏ ଖଣ୍ଡ ରାସ୍ତା ମଝିରେ ପଡ଼ିଥିବା ବେଳେ ଆଉ ଖଣ୍ଡେ ପାଖ ଦୋକାନ ଆଗରେ ପଡ଼ିଛି । ଏତେ ଭୟଙ୍କର ବିସ୍ଫୋରଣ ଦେଖି ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । କିଏ ଓ କାହିଁକି ଏମିତି ଘଟାଇଲା, ତାହା ଜାଣିବାକୁ ଘଟଣାସ୍ଥଳରେ ପହଞ୍ଚିଛି ବୈରୀ ଓ ବଡ଼ଚଣା ପୁଲିସ । 

ବିସ୍ଫୋରଣରେ ଗୁରୁତର ବ୍ୟକ୍ତିଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ତଳେ ଧର୍ମଶାଳାରେ ଜଣେ କ୍ରସର କର୍ମଚାରୀଙ୍କୁ ପିଟିପିଟି ମାରିଦେଇଥିବା ଖବର ଚାଞ୍ଚଲ୍ୟ ଖେଳାଇଥିଲା । ଆଉ ଏବେ ବୋମାମାଡ଼ରେ ଦୁଇଜଣଙ୍କ ମୃତ୍ୟୁ ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।