କନକ ବ୍ୟୁରୋ: ପିପିଲି ଜମାଲପୁର ବୋମାମାଡ଼ରେ ଜଣେ ଗୁରୁତର ହେବା ସହ ୩ ଜଣ ଆହତ ହୋଇଛନ୍ତି । ଏହି ବୋମାମାଡ଼ ଏତେ ଭୟଙ୍କର ଥିଲା ଯେ ଯୁବକଙ୍କ ହାତରୁ ଆଙ୍ଗୁଠି ଛିଣ୍ଡି ତଳେ ଗଳି ପଡ଼ିଥିଲା । ଗୁରୁତରଙ୍କୁ ଭୁବନେଶ୍ୱରର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପଟେ ବୋମାମାଡ଼ ପଛର କାରଣ ଖୋଜୁଛି ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ । ଅଭିଯୁକ୍ତକୁ ସାଙ୍ଗରେ ଧରି ସିନ୍ ରି କ୍ରିଏସନ୍ କରିଛନ୍ତି ପିପିଲି ଥାନା ଅଧିକାରୀ ।
ଗତକାଲି ପିପିଲି ଜମାଲପୁରୁ ଗାଁରେ ମେଲଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗାଁରେ ଦୋଳ ମେଲଣ ଦେଖିବାକୁ ରୁଣ୍ଡ ହୋଇଥିଲେ ଅନେକ ଲୋକ । ହେଲେ କାଳବୈଶାଖୀ ବର୍ଷା ପାଇଁ ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ଗାଁ କମିଟି। ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲା ବଚସା । ସେହି ପାଟିତୁଣ୍ଡକୁ କେନ୍ଦ୍ର କରି ୨ରୁ ୩ଟି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଏତେ ବୋମା ଘଟଣାସ୍ଥଳକୁ ଆସିଲା କେଉଁଠୁ? କେଉଁଠି ବୋମା ଭିଡ଼ିଥିଲା ଅଭିଯୁକ୍ତ? ଏଥିରେ କିଏ କିଏ ସମ୍ପୃକ୍ତ ? ଏସବୁ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ଏହା ପୂର୍ବରୁ ଚାନ୍ଦୁଆ ନଗରୀ ପିପିଲି ଏଭଳି ହିଂସାକାଣ୍ଡ ଲୋକଙ୍କ ଚିନ୍ତା ବଢ଼ାଇଛି ।