କନକ ବ୍ୟୁରୋ : ସିରିଜ ବୋମା ମାଡ଼ କରି ୫ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କେଶରା ଗାଁ ଆଜି ସନ୍ଧ୍ୟାରେ ବୋମା ମାଡରେ ଥରି ଉଠଥିଲା । କେଶରା ଗାଁର କାଳୀମନ୍ଦିର ଛକ ନିକଟରେ ବୋମା ମାଡ କରି ମାରଣାସ୍ତ୍ରରେ ୫ ଜଣ ଯୁବକଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଆକ୍ରମଣରେ  କେଶରା ଗାଁର ଲକ୍ଷ୍ମଣ ନାହାକ, ସୁରେଶ ପାଣିଗ୍ରାହୀ, କୃଷ୍ଣ ନାହାକ,ପ୍ରସନ ଗୌଡ଼ ଆହତ ହୋଇଛନ୍ତି । ସୂଚନା ଅନୁସାରେ ସୋରଡ଼ାରୁ କାମ ସାରି ନିଜ ଘରକୁ ତିନୋଟି ବାଇକରେ ୫ ଜଣ ଫେରୁଥିଲେ । ପୂର୍ବ ଯୋଜନା ମୁତାବକ କାଳୀ ମନ୍ଦିର ଛକରେ ଲୁଚି ରହିଥିବା ଦୁର୍ବୃତ୍ତମାନେ ବାଇକ ଆରୋହୀଙ୍କ ଉପରକୁ ସିରିଜ ବୋମାମାଡ କରିଥିଲେ। ସମସ୍ତେ ବାଇକରୁ ପଡିଯିବା ପରେ ଅତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାରି ଜଣ ରାସ୍ତାରେ ପଡିଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋରଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦୁର୍ବୃତ୍ତ ମାନେ ଫେରାର ଥିବା ବେଳେ ଥାନାଧିକାରୀ ଅନୀଲ କୁମାର ପରିଡା ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚଳାଇଛି ।