କନକ ବ୍ୟୁରୋ : ଘର ଭିତରେ ବୋମା ଥିଲା ଆଉ ଘର ସଫା ବେଳେ ଏହା ଫୁଟିଗଲା । କେବଳ ଫୁଟିଗଲା ନୁହେଁ ଏହି ବୋମା ଫୁଟିବାରୁ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଘଟଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଇଚ୍ଛାପୁରରେ । ବିସ୍ଫୋରଣରେ ୨୭ ବର୍ଷିୟା ଲିଲି ବେଗମ୍ ନାମକ ଜଣେ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଓ ଶିଶୁ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବୋଲଗଡ ମେଡିକାଲରେ ଚିକିତ୍ସା କରାଯାଉଛି । ହେଲେ ବୋମା କେଉଁଠୁ ଆସିଲା, ସେ ପରିବାରରେ ବୋମା ତିଆରି କରାଯାଉଥିଲା କି, ଏନେଇ ସ୍ଥାନୀୟ ପୁଲିସ ତଦନ୍ତ ଜାରି ରଖିଛି ।