କନକ ବ୍ୟୁରୋ : ବଲିଉଡରେ ଏମିତି ମାଳ ମାଳ ସିନେମା ରହିଛି ଯାହାକୁ ପ୍ରସ୍ତୁତ ହେବାକୁ ବହୁତ ସମୟ ଲାଗିଥାଏ । ବର୍ଷେ କି ଦୁଇବର୍ଷ ନୁହେଁ ବେଳେବେଳେ ୬ ରୁ ୭ ବର୍ଷ ପର୍ଯ୍ୟନ୍ତ ଧରି ମଧ୍ୟ ଗୋଟିଏ ସିନେମାର ସୁଟିଂ କାମ ସରିନଥାଏ । ଏହି ସବୁ ସିନେମାରୁ ଗୋଟିଏ ଫିଲ୍ମ ହେଉଛି ‘ଲଭ୍ ଆଣ୍ଡ୍ ଗଡ୍’ , ଯାହାକୁ କେସ୍ ଏବଂ ଲେଲା ଚଳଚ୍ଚିତ୍ର ବୋଲି ମଧ୍ୟ କୁହାଯାଏ । ଏହି ସିନେମାଟି ୧୯୮୬ ମସିହା ମେ ୨୭ ତାରିଖରେ ବଡ଼ ପରଦାରେ ରିଲିଜ୍ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଫିଲ୍ମ ତିଆରି ହେଉ ହେଉ ଏହାର ନିର୍ଦ୍ଦେଶକଙ୍କଠୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା । ଅଭିନେତାଙ୍କ ମୃତ୍ୟୁ ପରେ ନୂଆ କାଷ୍ଟକୁ ସିନେମାରେ ଦେଖିବାକୁ ମିଳିଥିଲା କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନୂତନ ଅଭିନେତାଙ୍କର ବି ମୃତ୍ୟୁ ହୋଇଯାଇଥିଲା ।
/filters:format(webp)/kanak/media/media_files/2025/08/02/love-and-god-2025-08-02-07-32-43.jpg)
୧୯୬୩ ରେ ଫିଲ୍ମ ଲଭ୍ ଆଣ୍ଡ୍ ଗଡ୍ ର ସୁଟିଂ କାମ ଆରମ୍ଭ ହୋଇଥିଲା । ସେହି ସମୟରେ ଏହି ଫିଲ୍ମର ମୁଖ୍ୟ ଅଭିନେତା ରୂପେ ଗୁରୁଦତ୍ତଙ୍କୁ ସାଇନ୍ କରାଯାଇଥିଲା , ଯେ କି କେସ୍ ଭୂମିକାରେ ନଜର ଆସିଥିଲେ । ଅନ୍ୟପକ୍ଷରେ ଲେଲାଙ୍କ ଭୂମିକାରେ ନିମ୍ମି ନାମକ ଜଣେ ଅଭିନେତ୍ରୀ ଅଭିନୟ କରିଥିଲେ । କିନ୍ତୁ ୧୯୬୪ ରେ ଗୁରୁଦତ୍ତଙ୍କ ଅଚାନକ ମୃତ୍ୟୁ ହୋଇଗଲା ଏବଂ ସିନେମାର ସୁଟିଂ କାମ ଅଧାରେ ଅଟକି ଗଲା । ଏହାପରେ ନିର୍ଦ୍ଦେଶକ କେ.ଆସିଫ୍ ସଞ୍ଜିବ କପୁରଙ୍କୁ ମୁଖ୍ୟ ଅଭିନେତା ରୂପେ ସାଇନ୍ କଲେ ଏବଂ ୧୯୭୦ ରେ ସୁଟିଂ କାମ ପୁନଃ ଆରମ୍ଭ ହେଲା । କିନ୍ତୁ ବିଧାତାର ବିଚିତ୍ର ଖେଳ ଦେଖନ୍ତୁ ସୁଟିଂ ସମୟରେ ଫିଲ୍ମର ନିର୍ଦ୍ଦେଶକ ତଥା ପ୍ରଯୋଜକ କେ.ଆସିଫଙ୍କ ମୃତ୍ୟୁ ହୋଇଗଲା । ବିଡ଼ମ୍ବନାର ବିଷୟ ହେଲା ଏହା ତାଙ୍କ ଜୀବନର ପ୍ରଥମ ଏବଂ ଶେଷ ସିନେମା ଥିଲା ଯାହାକୁ ସେ ରିଲିଜ୍ ହେବାର ବି ଦେଖି ପାରିଲେନି ।
ଏହାପରେ ସିନେମାର ସୁଟିଂ କାମ ୧୯୭୧ ରେ ଅଟକି ଗଲା । କେ.ଆସିଫଙ୍କ ପତ୍ନୀ କିନ୍ତୁ ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ପୂରା କରିବା ପାଇଁ ଚାହୁଥିଲେ ତେଣୁ କେସି ବୋକାଡିୟାଙ୍କ ସାହାଯ୍ୟରେ ସେ ତିନୋଟି ଅଲଗା ଅଲଗା ଷ୍ଟୁଡିଓରେ ସିନେମା କାମ ଶେଷ କରିଥିଲେ ଏବଂ ଫିଲ୍ମ ରିଲିଜ୍ ହୋଇଥିଲା । କିନ୍ତୁ ଅଭିଶାପ କୁହନ୍ତୁ କି ଦୁର୍ଭାଗ୍ୟ ସିନେମା ରିଲିଜ୍ ହେବାର କିଛି ସମୟ ପୂର୍ବରୁ ଅର୍ଥାତ ୧୯୮୫ ରେ ମୁଖ୍ୟ ଅଭିନେତା ସଂଜୀବ କୁମାରଙ୍କର ବି ଦେହାନ୍ତ ହୋଇଗଲା । ଅଭିନେତାଙ୍କ ମୃତ୍ୟୁ ପରେ ଯେଣତେଣ କରି ୧୯୮୬ ମେ ୨୭ ତାରିଖରେ ସିନେମାକୁ ବଡ଼ ପରଦାରେ ରିଲିଜ୍ କରାଗଲା । ଆଉ ଏହି କାରଣରୁ ହିଁ ହିନ୍ଦୀ ସିନେମା ଜଗତରେ ଏହି ଚଳଚ୍ଚିତ୍ରକୁ ଅଭିଶପ୍ତ ବୋଲି କୁହାଗଲା । କାରଣ ସିନେମା ତିଆରି କରୁ କରୁ ନିର୍ଦ୍ଦେଶକ , ପ୍ରଯୋଜକଙ୍କ ଠାରୁ ଆରମ୍ଭ କରି ଦୁଇ ଦୁଇଜଣ ଅଭିନେତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା ।