କନକବ୍ୟୁରୋ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ପାଇଁ ପୁଣି ଧମକ । ମୁମ୍ବାଇ ଟ୍ରାଫିକ ପୁଲିସ ୱାଟସଆପକୁ ଆସିଛି ଧମକପୂର୍ଣ୍ଣ ମେସେଜ । ଏଥିର ସଲମାନଙ୍କୁ ହତ୍ୟା କରିବା କଥା କୁହାଯାଇଛି । ଜୀବନ ବଞ୍ଚାଇବାକୁ ଚାହୁଁଥିଲେ ସଲମାନଙ୍କୁ ୫ କୋଟି ଟଙ୍କା ଡିମାଣ୍ଡ କରାଯାଇଛି । ତେବେ କିଏ ଓ କେଉଁଠୁ ଏ ମେସେଜ ପଠାଇଛି ସେନେଇ ତଦନ୍ତ ଚଳାଇଛି ମୁମ୍ବାଇ ପୁଲିସ୍ ।
ସେପଟେ ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କୁ ହତ୍ୟା ପାଇଁ ଦିଆଯାଇଥିଲା ସୁପାରୀ । ସଲମାନଙ୍କ ପାନଭେଲ୍ ସ୍ଥିତ ଫାର୍ମହାଉସ୍ ନିକଟରେ ତାଙ୍କୁ ହତ୍ୟା ପାଇଁ କରାଯାଇଥିଲା ପ୍ଲାନିଁ । ଏଥିପାଇଁ ୨୫ଲକ୍ଷ ଟଙ୍କା ସୁପାରୀ ଦିଆଯାଇଛି । ଗୁରବାର ନଭି ମୁମ୍ବାଇ ପୁଲିସ ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍ରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରହିଛି ।
ଦାଖଲ ହୋଇଥିବା ଚାର୍ଜସିଟ୍ରେ ପୁଲିସ ୫ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି । ସଲମାନ ଖାନ୍ଙ୍କୁ ହତ୍ୟା କରିବାକୁ ଲରେନ୍ସ ବିଷ୍ଣୋଇ ଗାଙ୍ଗ୍ ସୁପାରୀ ନେଇଛି । ଏଥିପାଇଁ ଅଭିଯୁକ୍ତମାନେ ପାକିସ୍ତାନରୁ ଏକେ ୪୭, ଏକେ-୯୨, ଏମ୍-୬, ତୁର୍କୀ ନିର୍ମିତ ଜିଗାନା ବନ୍ଧୁକ କିଣିବାକୁ ଯୋଜନା କରିଥିଲେ । ହତ୍ୟା ପାଇଁ ୧୮ ବର୍ଷରୁ କମ୍ ବୟସର କିଶୋରଙ୍କୁ ଯୋଗାଡ଼ କରାଯାଇଥିଲା ।
ଏହି କିଶୋରମାନେ ପୁଣେ, ରାଇଗଡ଼, ନଭି ମୁମ୍ବାଇ, ଥାଣେ ଓ ଗୁଜରାଟରେ ନିୟୋଜିତ ଥିଲେ । ୬୦-୭୦ ଜଣ ବ୍ୟକ୍ତି ସଲମାନ ଖାନ୍ଙ୍କ ଉପରେ ବିଶେଷତଃ ବାନ୍ଦ୍ରା ବାସଭବନ, ପାନଭେଲ୍ ଫାର୍ମହାଉସ୍ ଓ ଗୋରେଗାଓଁ ଫିଲ୍ମସିଟି ଉପରେ ନଜର ରଖିଥିଲେ । ସଲମାନଙ୍କୁ ଏପ୍ରିଲ୍ ୨୦୨୩ରୁ ଏପ୍ରିଲ୍ ୨୦୨୪ ମଧ୍ୟରେ ହତ୍ୟା କରିବାକୁ ଯୋଜନା ହୋଇଥିଲା ।