କନକ ବ୍ୟୁରୋ: ପେଟପାଟଣା ପାଇଁ ତାମିଲନାଡୁର କୋଏମ୍ବାଟୁର ସୁଲୁରକୁ ଯାଇଥିଲେ। ହେଲେ ବାଇକ୍ ସହ ଜଳିଯାଇ ଜୀବନ ସହ ସଂଘର୍ଷ କରୁଛନ୍ତି ବଲାଙ୍ଗୀରର ଯୁବକ । ଏବେ ସୁଲୁର ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବ୍ଲକ ପୁଟିସବହାଲ ଗାଁର ବିକାଶ ବରିହା ସୁଲୁରରେ ଥିବା ଏକ ହର୍ଲିକ୍ସ କମ୍ପାନୀରେ କାମ କରିବାକୁ ଯାଇଥିଲେ । ଶନିବାର ଦିନ ପ୍ରାୟ ୩ଟାରେ ୨୫ ବର୍ଷୀୟ ବିକାଶ ବାଇକ୍ ଯୋଗେ ବୁଲାବୁଲି କରୁଥିବା ସମୟରେ ଏକ ଟ୍ରକ ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକରେ ନିଆଁଲାଗି ଯାଇଥିଲା ।
ବିକାଶଙ୍କ ଶରୀର ନିଆଁ ଲାଗି ୯୦ ପ୍ରତିଶତ ପୋଡିଯାଇଛି । ତାଙ୍କୁ ତୁରନ୍ତ ସୂଲୁର ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ନିଆ ଯାଇଥିଲା । ଏବେ ସେ ଜୀବନ ସହ ସଂଘର୍ଷ କରୁଛନ୍ତି । ଏପଟେ ପରିବାର ଲୋକ ଏମିତି ଖବର ପାଇ ଭାଙ୍ଗି ପଡିଛନ୍ତି । ଚିନ୍ତାରେ ବାପା ଭଜମନ ବରିହା ଓ ପରିବାର ଲୋକ ।