ଏ ମୋଟା , ଏ ଗେଡୁ , ଏ କାଳୁ , ଏ ଦିଆସିଲି କାଠି ..
କନକ ବ୍ୟୁରୋ : ଏମିତି କେତେ କ’ଣ ନାଁ ପ୍ରତିଦିନ ଆମ ସାମ୍ନାରେ କେହି ନା କେହି କାହାକୁ ଡାକୁଥିବେ । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯ (୧)(ଏ) ରେ ଭାରତର ପ୍ରତିଟି ନାଗରିକଙ୍କୁ କଥା କହିବାର ସ୍ବାଧୀନତା ରହିଛି । ଏହାର ଅର୍ଥ ଭାରତର ନାଗରିକ ଯାହା ଇଚ୍ଛା କରିପାରିବେ ଏବଂ ଯାହା ଇଚ୍ଛା କହି ମଧ୍ୟ ପାରିବେ । ଏହା ଉପରେ କୌଣସି ପ୍ରକାର ପ୍ରତିବନ୍ଧ କେହି ଲଗାଇ ପାରିବେ ନାହିଁ । କିନ୍ତୁ ଏହି ସ୍ବାଧୀନତାକୁ ପ୍ରାୟତଃ ଲୋକ ଠିକରେ ବ୍ୟବହାର କରନ୍ତି ନାହିଁ । କଥା କହିବାର ସ୍ବତନ୍ତ୍ରତା ରହିଛି ବୋଲି ଯେ ଯାହା ପାରୁଛନ୍ତି କହି ଯାଉଛନ୍ତି କିନ୍ତୁ ଏଥିରେ ସାମ୍ନା ଲୋକର ସମ୍ବେଦନଶୀଳତା ଉପରେ କେତେ ଆଘାତ ଲାଗୁଛି ତାହା କେହି ଜାଣି ପାରୁନାହାନ୍ତି । କିଛି ଲୋକ ଶରୀରର ଗଠନକୁ ନେଇ ମଧ୍ୟ କମେଣ୍ଟ୍ କରନ୍ତି ଯାହାକୁ ଇଂରାଜୀ ଭାଷାରେ Body shaming ବୋଲି କୁହାଯାଏ । ଅର୍ଥାତ ଯଦି କୌଣସି ବ୍ୟକ୍ତି ମେଦବହୁଳତାର ଶିକାର ହୁଅନ୍ତି ତା’ହେଲେ ତାଙ୍କୁ ମୋଟା , କଳାରଙ୍ଗର ବ୍ୟକ୍ତି ହୋଇଥିଲେ କାଳୁ , କାଳିଆ , କଳାକୁକୁର ଏବଂ ଶରୀରର ଲମ୍ବ ଛୋଟ ଥିଲେ ବାମନ,ବାଙ୍ଗରା,ଟିମ୍ପା ବୋଲି ସମ୍ବୋଧନ କରନ୍ତି । କିନ୍ତୁ ଯଦି ଆମେ କହିବୁ ଯେ ବର୍ତ୍ତମାନ ଯଦି ଆପଣଙ୍କୁ କେହି ମୋଟା, କାଳୁ କିମ୍ବା ବାମନ ବୋଲି ଡାକେ ତେବେ ଏହାକୁ ନେଇ ଥାନାରେ ଏତଲା ମଧ୍ୟ ଦେଇପାରିବେ । ଆଉ ଏଇଥିପାଇଁ Body shaming କରୁଥିବା ବ୍ୟକ୍ତିଜଣଙ୍କୁ ଥାନାର ପବନ ଖାଇବାକୁ ମଧ୍ୟ ପଡ଼ିପାରେ । ତେବେ ଏନେଇ କ’ଣ କହୁଛି ଆଇନ୍ , ଆସନ୍ତୁ ଜାଣିବା ।
Body shaming କୁ ନେଇ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କିଛି ଆଇନ କାନୁନ ନଥିଲେ ମଧ୍ୟ ଆପଣ ମାନହାନୀ ମକଦ୍ଦମା ମାଧ୍ୟମରେ କେସ୍ କରିପାରିବେ । ଯେଉଁଥିରେ ଆଇପିସିର ଧାରା ୩୯୯ ଅନୁସାରେ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ମଧ୍ୟ ହୋଇପାରେ । ଭାରତରେ Body shaming କୁ ଲୋକ ହାଲକାରେ ନିଅନ୍ତି ଯାହା ଏକପ୍ରକାର ରାଗିଂ ବୋଲି ଆପଣ ନେଇପାରିବେ । ସ୍କୁଲ୍ , କଲେଜରୁ ଆରମ୍ଭ ହେଉଥିବା ଏହି ରାଗିଂ ସାଧାରଣ ଲାଗୁଥିଲେ ବି ଏହାର ଶିକାର ହେଉଥିବା ପିଲାଟି ଉପରେ କ’ଣ ବିତୁଥିବ ତାହା ଭୁକ୍ତଭୋଗୀ ଛାତ୍ରଟି ହିଁ ଜାଣେ । ଏହାର ନକରାତ୍ମକ ପ୍ରଭାବ ଛାତ୍ର ଉପରେ ବର୍ଷ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏମିତି କି କିଛି ଘଟଣାରେ ଆତ୍ମହତ୍ୟା କଲା ଭଳି ମାମଲା ମଧ୍ୟ ସାମ୍ନାକୁ ଆସିଛି । ତେବେ Body shaming କୁ ମଧ୍ୟ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବାକୁ ବୁଝାଇବ । ଯଦି ଆପଣ ବି କାହାର Body shaming କରୁଛନ୍ତି କିମ୍ବା ଆପଣଙ୍କୁ କେହି ଏଭଳି ବିକୃତ ନାଁରେ ଡାକୁଛନ୍ତି ତେବେ ଚୁପ୍ ନ ରହି ନିଜ ପାଇଁ ସ୍ବର ଉଠାନ୍ତୁ ଏବଂ ଥାନାରେ ଏତଲା ଦିଅନ୍ତୁ । ଆପଣଙ୍କୁ ସମାଜ ଆଘାତ ଦେଇପାରେ କିନ୍ତୁ ନ୍ୟାୟ କେବଳ ଆଇନ ଦେବ ।