Photograph: (kanaknews)
କନକବ୍ୟୁରୋ : ଜଗତପୁର: ଜଗତପୁର ଥାନା ଅନ୍ତର୍ଗତ ଆଇବି ରୋଡ୍ସ୍ଥିତ ବିରୂପା ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ। ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିରୂପା ନଦୀ ପଣ୍ଡାସାହି ତୁଠରେ ଏକ ଅଭାବନୀୟ ଘଟଣା ଘଟିଥିଲା । ୫ଜଣ ସାଙ୍ଗ କାର୍ରେ ଭୁବନେଶ୍ୱରରୁ କଟକ ଆସିଥିବା ବେଳେ ବିରୂପା ନଦୀରେ କାର୍ ପଶିଯିବାରୁ ଜଣେ ନିଖୋଜ ହୋଇଯାଇଥିଲେ ।
ଅଧିକ ପଢନ୍ତୁ... ଅଧପନ୍ତରିଆ ଅଙ୍ଗନବାଡ଼ି କେନ୍ଦ୍ର ସାରିବାକୁ ସରକାରଙ୍କ ତାଗିଦ୍ : ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ପଞ୍ଚାୟତିରାଜ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ
ନିଖୋଜ ଜଣକ ହେଉଛନ୍ତି ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଅଞ୍ଚଳର ଅତୁଲ ଓରଫ ଉଦିତ ନାରାୟଣ ସାହୁ(୨୨ ) । ତାଙ୍କ ସହିତ ଥିବା ଲିଙ୍ଗିପୁର ଅଞ୍ଚଳର ଅଂଶୁମାନ ପଣ୍ଡାଙ୍କୁ ନିମପୁର ବସ୍ତିର ଯୁବକମାନେ ଉଦ୍ଧାର କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ। ବିଳମ୍ବିତ ରାତିରେ କାର୍ଟିକୁ ନଈ ଭିତରୁ ଉଦ୍ଧାର କରାଯାଇଥିବା ବେଳେ କାର୍ ଭିତରେ ଉଦିତ ନଥିବା ଜଣାପଡ଼ିଛି। ଆଜି ପୁଣି ବିରୂପାରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଓଡ୍ରାଫ୍ ଟିମ୍ ସହ ସ୍କୁବା ଡାଇଭର୍ ସାମିଲ ଥିଲେ ।
ସୂଚନା ମୁତାବକ, ଭୁବନେଶ୍ୱରରୁ ୫ଜଣ ସାଙ୍ଗ କାର୍ ଯୋଗେ ଗତକାଲି କଟକ ଆସିଥିଲେ। ଚାଉଳିଆଗଞ୍ଜରେ ଏକ ରେଷ୍ଟୁରାଣ୍ଟ ଉଦ୍ଘାଟନ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇଥିଲେ। କୌଣସି କାରଣରୁ ସେମାନେ ଚାଉଳିଆଗଞ୍ଜରୁ ଜଗତପୁର ବିରୂପା ନଦୀକୂଳରେ ପହଞ୍ଚିଥିଲେ । ସେଠାରେ ୩ଜଣ ସାଙ୍ଗ ପ୍ରଥମେ ଓହ୍ଲାଇ ପଡ଼ିଥିବା ବେଳେ ଅତୁଲ ଓ ଅଂଶୁମାନ ପୁଣି କାର୍ ଯୋଗେ ଆଇ.ବି. ରୋଡ୍ ନାରାୟଣବିହାରରେ ଥିବା ଏକ ଦୋକାନକୁ ଯାଇ କିଣାକିଣି କରିଥିଲେ। ଅତୁଲ ଓ ଅଂଶୁମାନ ପୁଣି ଉକ୍ତ ନଦୀତୁଠକୁ ଆସିବା ବେଳେ ନିୟନ୍ତ୍ରଣ ହରାଇ କାର୍ଟି ନଦୀ ମଧ୍ୟକୁ ପଶିଯାଇଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ବସ୍ତିର କେତେକ ସାହସୀ ଯୁବକ ଅଂଶୁମାନଙ୍କୁ ନଦୀପାଣିରୁ ଉଦ୍ଧାର କରିଥିଲେ ।
ତେବେ ବହୁ ସମୟ ପର୍ଯ୍ୟନ୍ତ କାର୍ଟିର ଲାଇଟ୍ ପାଣି ମଧ୍ୟରେ ଜଳି ରହିଥିଲେ ବି ଅଗ୍ନିଶମ ବିଭାଗ ଉଦ୍ଧାର ପାଇଁ ଠିକ୍ ସ୍ଥାନରେ ପହଞ୍ଚି ପାରିନଥିଲା। ଅନ୍ୟପଟେ ଟାଙ୍ଗୀ, ଚୌଦ୍ୱାର ଓ ଚାଉଳିଆଗଞ୍ଜ ଅଗ୍ନିଶମ ଟିମ୍ ଏବଂ କଟକ ଓଡ୍ରାଫ୍ ଟିମ୍ ସହ ସ୍କୁବା ଡାଇଭର୍ଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟକୁ ବ୍ୟାପକ କରାଯାଇଥିଲା। କାର୍ ଭିତରେ ଉଦିତ ରହିଯାଇଥିବା ଆଶଙ୍କା କରାଯାଉଥିଲା ।
ତେବେ କାର୍ ଭିତରୁ ଉଦିତ ନ ମିଳିବାରୁ ଉଦ୍ଧାରକାରୀଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଉଦିତ ଜଣେ ଆଇନ ଛାତ୍ର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୂର୍ବତନ ବିଧାୟକ ଡ.ପ୍ରଭାତ ରଞ୍ଜନ ବିଶ୍ୱାଳ, ଜୋନ୍-୨ ଏସିପି ଅରୁଣ କୁମାର ସ୍ବାଇଁ, ଜିଲ୍ଲା ଅଗ୍ନିଶମ ମୁଖ୍ୟ ଅଧିକାରୀ ସଂଜୀବ ବେହେରା, ଜଗତପୁର ଥାନା ଅଧିକାରୀ ଅନିରୁଦ୍ଧ ନାୟକ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।
Follow Us