କନକ ବ୍ୟୁରୋ: ଭଲ ଦୁଇ ପଇସା ରୋଜଗାର ହେବ, ପରିବାର ମୁହଁରେ ହସ ଫୁଟିବ । ଏଥିପାଇଁ ଆନ୍ଧ୍ରପ୍ରଦେଶର ବାଲିକୁରମା ଗ୍ରାନାଇଟ୍ ପଥର ଖଣିକୁ କାମ କରିବାକୁ ଯାଇଥିଲେ । ହେଲେ ଅଧାରେ ରହିଗଲା ସ୍ବପ୍ନ, ପରିବାର ହୋଇଗଲା ମୁରବିଶୂନ୍ୟ । ବିସ୍ଫୋରଣରେ ଚାଲିଗଲା ୬ ଜଣ ଓଡ଼ିଆ ଶ୍ରମିକଙ୍କ ଜୀବନ । ଗଞ୍ଜାମ ଓ ଗଜପତିର ୬ ଶ୍ରମିକଙ୍କ ମରଶରୀର ଜନ୍ମମାଟିରେ ପହଞ୍ଚିବା ପରେ ପୂରା ଅଞ୍ଚଳ ଏବେ ଶୋକରେ ବୁଡ଼ିଛି । ପୁଅକୁ ହରାଇ କାହା ଆଖିରୁ ଲୁହ ଶୁଖୁନି ତ ପୁଣି କିଏ ସ୍ବାମୀଙ୍କୁ ହରାଇ ନିସ୍ତବ୍ଧ ପାଲଟିଯାଇଛି । 

Advertisment
  • ନୂଆଖାଇ ପୂର୍ବରୁ ଦାଦନ ବୁକ୍  
  • ସର୍ଦ୍ଦାରଙ୍କୁ ସୁହାଉଛି ଶ୍ରମିକଙ୍କ ଅସହାୟପଣ

ଓଡ଼ିଶାକୁ ଦାଦନମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର । ଏଥିପାଇଁ ଗଠନ କରିଥିଲେ ଟାସ୍କଫୋର୍ସ । ୩୧୪ ବ୍ଲକରେ ଶ୍ରମ ଅଧିକାରୀ ନିଯୁକ୍ତି ହୋଇଥିଲେ । ଏହାସତ୍ତ୍ବେ ମଧ୍ୟ ରାଜ୍ୟରେ ଦାଦନ ସଂଖ୍ୟା ଉପରମୁହାଁ । ବଲାଙ୍ଗୀରରେ ଏବେଠାରୁ ଦାଦନ ଶ୍ରମିକଙ୍କୁ ଅଗ୍ରୀମ ଟଙ୍କା ଦେଇ ବୁକ୍ କରିନେଉଛନ୍ତି ସର୍ଦ୍ଦାର । ଏହାଠାରୁ ଓଡ଼ିଶାରେ ଆହୁରି ସାଂଘାତିକ ସ୍ଥିତି ସୃଷ୍ଟି କରିଛି ଦାଦନ ମୃତ୍ୟୁ । ବିଧାନସଭାରେ ସରକାର ରଖିଥିବା ଉତ୍ତର ବେଶ ଉଦ୍‌ବେଗଜନକ । 

  • ଗତ ୨ ବର୍ଷରେ ଯାଇଛି ୨୦୭ ଦାଦନଙ୍କ ଜୀବନ
  • ଗଞ୍ଜାମରେ ସର୍ବାଧିକ ଦାଦନ ମୃତ୍ୟୁ
  • ଦାଦନ ମୃତ୍ୟୁ ତାଲିକାରେ ବଲାଙ୍ଗୀର ଦ୍ବିତୀୟ
  • କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ନବରଙ୍ଗପୁରରେ ଦାଦନ ମୃତ୍ୟୁ ଚିନ୍ତାଜନକ

ଦାଦନ ମୃତ୍ୟୁ ଭିତରେ ଦିନକୁ ଦିନ ଦାଦନଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରଶାସନର ଉଦାସୀନତା ଦାଦନ ବୃଦ୍ଧିକୁ ବେଶ ସୁହାଉଛି । ବିନା ପଞ୍ଜୀକରଣରେ ହଜାର ହଜାର ଦାଦନ ଶ୍ରମିକ ଦଲାଲଙ୍କ ଜରିଆରେ ବାହାରକୁ ଯାଉଛନ୍ତି । ନା ପ୍ରଶାସନ ପାଖରେ ଏହାର ହିସାବ ଅଛି ନା ସରକାର ଏହାକୁ ରୋକିବାକୁ ତତ୍ପର । ଏସବୁ ଭିତରେ ପ୍ରଶ୍ନ ଉଠୁଛି, କେବେ ଦାଦନମୁକ୍ତ ହେବ ଓଡ଼ିଶା? ଓଡ଼ିଶାରେ ଓଡ଼ିଆଙ୍କ ପାଇଁ କାହିଁକି ସୃଷ୍ଟି କରାଯାଉନି ନିଯୁକ୍ତି?