କନକ ବ୍ୟୁରୋ:  ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ନିଜର ନୂଆ ଟିମ୍‌ ଘୋଷଣା କରିଛନ୍ତି । ବିଜେଡି କ୍ଷମତାରୁ ହଟିବା ପରେ ସଂଗଠନରେ ଯେଉଁ ବିଶାଳ ପରିବର୍ତ୍ତନ ଆଶା କରାଯାଉଥିଲା, ତାହା ସ୍ପଷ୍ଟ ପରିଲକ୍ଷିତ ହୋଇଛି । ଦଳରେ ଦ୍ବିତୀୟ କ୍ଷମତା କେନ୍ଦ୍ର ସୃଷ୍ଟିର ଆଉ ସୁଯୋଗ ନାହିଁ। ବରିଷ୍ଠ ଓ କନିଷ୍ଠଙ୍କ ଭିତରେ ଭାରସାମ୍ୟ ରଖାଯାଇଛି । ଦଳକୁ ପୁଣି ଫେରିଛି ରାଜନୈତିକ ବ୍ୟାପାର କମିଟି । ନବୀନ ଏବେ କେବଳ ଦଳର ସଭାପତି ନୁହଁନ୍ତି, ରାଜନୈତିକ ବ୍ୟାପାର କମିଟିର ଅଧ୍ୟକ୍ଷ ବି। ସବୁଠୁ ବଡ଼ କଥା ହେଲା, କିଛି ବିବାଦୀୟ ନେତାଙ୍କୁ ଦୂରେଇଦେଇ ଅବଶିଷ୍ଟଙ୍କୁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ବିଜେଡି ମୁଖିଆ ।  
 
୭୧ ଜଣିଆ ଟିମ୍‌ରେ ସବୁ ବର୍ଗଙ୍କୁ ଖୁସି କରିବାକୁ ଉଦ୍ୟମ କରିଛନ୍ତି ନବୀନ ପଟ୍ଟନାୟକ। ୧୫ ଉପସଭାପତି ଓ ୫୫ ସାଧାରଣ ସମ୍ପାଦକଙ୍କୁ ଧରି ରଣଭୂମିକୁ ଓହ୍ଲାଇଛି ଦଳ। ଦିନେ ଦଳରେ ଦ୍ବିତୀୟ କ୍ଷମତାକେନ୍ଦ୍ର ସାଜିଥିବା ପ୍ରଣବ ପ୍ରକାଶ ଦାସଙ୍କ କ୍ଷମତା ଉପରେ ଚୋଟ ପଡ଼ିଛି । ବିରୋଧ ଓ ବିଦ୍ରୋହ ରୋକିବାକୁ ସଂଗଠନ ସମ୍ପାଦକ ପଦକୁ ଉଚ୍ଛେଦ କରାଯାଇଛି । ଅନ୍ୟମାନଙ୍କ ଭଳି ବବି ଏବେ ଜଣେ ଉପସଭାପତି ମାତ୍ର। ସନ୍ତୁଷ୍ଟ କରିବା ଲାଗି ରାଜନୈତିକ ବ୍ୟାପାର କମିଟିରେ ରଖାଯାଇଛି । ସବୁ ବରିଷ୍ଠଙ୍କୁ ପଦବି ବାଣ୍ଟିଛନ୍ତି ନବୀନ । ନୂଆ ଟିମ୍‌ରୁ ବାଦ୍‌ ପଡ଼ିଛନ୍ତି ୩ ବିବାଦୀୟ ବରିଷ୍ଠ ନେତା ଭୂପିନ୍ଦର ସିଂହ, ଶଶିଭୂଷଣ ବେହେରା ଓ ପ୍ରଫୁଲ୍ଲ ମଲ୍ଲିକ । ବରିଷ୍ଠ ଓ କନିଷ୍ଠଙ୍କ ଭିତରେ ଭାରସାମ୍ୟ ରଖିଛନ୍ତି ବିଜେଡି ସଭାପତି । ଦୁଇ ଉପସଭାପତି ଦେବୀ ମିଶ୍ର ଓ ପ୍ରତାପ ଜେନା ଏବେ ମୁଖ୍ୟାଳୟ ଜଗିବେ । 
 
ରାଜନୈତିକ ବ୍ୟାପାର କମିଟି ଘୋଷଣା କରିଛି ଦଳ। ନବୀନ ନିଜେ ଅଧ୍ୟକ୍ଷ ଥିଲାବେଳେ ଅନ୍ୟ ୯ ଜଣ ସଦସ୍ୟ ରହିଛନ୍ତି । ବିଜୟ ମହାପାତ୍ର ଦଳରୁ ଯିବା ପରେ ଏହି କମିଟି ଆଉ ଗଠନ ହୋଇନଥିଲା । ବରିଷ୍ଠ ନେତା ଏହି କମିଟି ଗଠନ ଲାଗି ସୁପ୍ରିମୋଙ୍କୁ ସୁପାରିସ କରିଥିଲେ। ନବୀନ କଥା ରଖିଲେ । ହେଲେ ନିଜେ ରହିଲେ ଏହାର ମୁଖିଆ । ଗୋଟିଏ ଦିନରେ ୪ଟି ନୂଆ ଟିମ୍‌ ଘୋଷଣା ହୋଇଛି । ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟାଲଘୁ ସେଲ୍‌ ଆବାହକ ଦାୟିତ୍ବ ମିଳିଛି । ଏଥିରେ ୩ ବରିଷ୍ଠ ନେତାଙ୍କୁ ଉତ୍ତର, ଦକ୍ଷିଣ ଓ କେନ୍ଦ୍ରାଞ୍ଚଳ ଲାଗି ସଂଯୋଜକ ରଖାଯାଇଛି । ସେହିପରି ଅନ୍ୟ ବରିଷ୍ଠ ନେତାଙ୍କୁ ଦଳର ବିଭିନ୍ନ ସାମୁଖ୍ୟ ଦାୟିତ୍ବ ଦେଇଛନ୍ତି ସୁପ୍ରିମୋ । ୱାକଫ୍‌ ବିଲ୍‌ ଭୋଟ୍‌ ସମୟରେ ବିବାଦୀୟ ହୋଇଥିବା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ବରିଷ୍ଠ ନାଗରିକ ସେଲ୍‌, ମୁନା ଖାନଙ୍କୁ ସଂଖ୍ୟାଲଘୁ ସେଲ୍‌ ଓ ଡ. ସସ୍ମିତ ପାତ୍ର ରାଜନୈତିକ ବ୍ୟାପାର କମିଟିରେ ଥଇଥାନ ହୋଇଛନ୍ତି ।