କନକ ବ୍ୟୁରୋ: ଯାଜପୁର ନିର୍ବାଚନମଣ୍ଡଳୀକୁ ନେଇ ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା । ୨୪ ନିର୍ବାଚନ ସରିବାକୁ ମାତ୍ର ଦେଢ଼ବର୍ଷ ହେଲା, ହେଲେ ଏବେଠୁ ୨୯ ନିର୍ବାଚନକୁ ନେଇ ବିଜେଡି ନେତାଙ୍କ ଭିତରେ କେଁ ପଶିଲାଣି । ଖାସ୍‌ କରି ଯାଜପୁର ବିଜେଡିର ଗଡ଼ ରହିଥିବା ବେଳେ ୨୪ରେ କିନ୍ତୁ ବିଜେଡିକୁ ଚକ୍‌ମା ଦେଇଛି ବିଜେପି । ଅବଶ୍ୟ ବବିଙ୍କ ଗଡ଼ରେ ବିଜେଡି ବାଜିମାତ୍‌ କରିଛି । କିନ୍ତୁ ବବିଙ୍କ ଗଡ଼ରେ ଏବେ ସୁଜାତା ରାଜ୍‌ କରୁଛନ୍ତି । ଆଉ ୨୯ରେ ବି ସେ ହିଁ ବିଧାୟକ ପ୍ରାର୍ଥୀ ଭାବରେ ଲଢ଼ିବାକୁ ଇଚ୍ଛା କରୁଥିବା ଧୀରେ ଧୀରେ ସ୍ପଷ୍ଟ ହୋଇଛି । 

Advertisment

ବବିଙ୍କୁ ନେଇ ସୁଜାତାଙ୍କ ବଡ଼ ବୟାନ
କହିଲେ, ବବି ଏବେ ରାଜ୍ୟସ୍ତରୀୟ ନେତା
ସାଇଡ୍‌ଲାଇନ୍‌ କଲେ ନା ଆଉ କଣ ?

ଯାଜପୁରରେ ସକ୍ରିୟ ହେଉଛନ୍ତି ସୁଜାତା
ବବିଙ୍କ ଭବିଷ୍ୟତ କଣ ହେବ ?
କୋରେଇକୁ ଯଶୋଦା କହିଥିଲେ, ଦେବକୀଙ୍କଠୁ ଦୂରେଇବେ କି ?

୨୪ରେ ବିଧାୟିକା ଭାବରେ ଜିତିବା ପରେ ଧୀରେ ଧୀରେ ନିଜ ସଂଗଠନକୁ ମଜଭୁତ କରୁଛନ୍ତି ସୁଜାତା । ଖାଲି ଏତିକି ନୁହେଁ ବରଂ ବବିଙ୍କୁ ସାଇଡ୍‌ କରି ନିଜେ ପୁଣି ଥରେ ବିଧାୟିକା ହେବା ନେଇ ରଣନୀତି କରୁଥିବା ଚର୍ଚ୍ଚା ହେଉଛି । କାରଣ ୩ ଦିନ ତଳେ କୋରେଇର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବବି କହିଥିଲେ, କୋରେଇ ମୋ ପାଇଁ ଯଶୋଦ,ଯାଜପୁର ମୋ ପାଇଁ ଦେବକୀ । ଅର୍ଥାତ୍‌ ବବି କୋରେଇ ମୁହାଁ ହେଉଥିବା ଚର୍ଚ୍ଚା ହେଉଛି । ଅବଶ୍ୟ ନିଜ ଇଚ୍ଛାରେ କି ବାଧ୍ୟବାଧକତାରେ ତାହା ତ ସ୍ପଷ୍ଟ ହୋଇନି କିନ୍ତୁ ଚର୍ଚ୍ଚା ଜୋର । 

ନିଜ ରାସ୍ତା ନିଜେ ସଫା କରୁଛନ୍ତି ସୁଜାତା ?
ବବିଙ୍କୁ ରାଜ୍ୟସ୍ତରୀୟ ନେତା କହି ଚର୍ଚ୍ଚାରେ ସୁଜାତା

ବିଜେଡି ସରକାର ଥିବା ବେଳେ ଯାଜପୁରର ପୂର୍ବତନ ବିଧାୟକ ବବି ଦାସ୍‌ ପାୱାରଫୁଲ୍‌ ଥିଲେ । ଦଳର ସାଂସଦଙ୍କ ପାଣ୍ଠି ନେଇ ଜିଲ୍ଲାର ଅନେକ ବିକାଶ କରିଥିଲେ । ଯାହାକୁ ନେଇ ଦଳୀୟ ନେତା ବି ବୟାନ ଦେଇଛନ୍ତି । ହେଲେ ବିଜେଡି ସରକାରରୁ ଯିବା ପରେ ବବିଙ୍କୁ ନିଜ ଦଳର ନେତା ମାନିବାକୁ ପ୍ରସ୍ତୁତ ନାହାନ୍ତି । ଖାସ୍‌ କରି ବବିଙ୍କ ଇଚ୍ଛାରେ ପ୍ରାର୍ଥୀ ହୋଇଥିବା ସୁଜାତା ନିଜର ଭବିଷ୍ୟତ ନିଜେ ଗଢ଼ିବାକୁ ଲାଗିଲେଣି । ଯଦି ଏମିତି ହେବ ତେବେ ୨୯ ନିର୍ବାଚନରେ ଯାଜପୁର ଆସନରେ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଦ୍ବନ୍ଦ୍ବ ଉପୁଜିପାରେ । ହେଲେ ସୁଜାତା କହିଛନ୍ତି, ନିର୍ବାଚନରେ ପ୍ରାର୍ଥୀ କିଏ ହେବ ତାହା ବିଜେଡି ସୁପ୍ରିମୋ ନେବେ । ଏବେ ସମୟ କହିବ ଆଗାମୀ ଦିନରେ ବବି ନିର୍ବାଚନ କୋରେଇରୁ ନା ଯାଜପୁର ଲଢ଼ୁଛନ୍ତି ।