କନକବ୍ୟୁରୋ : ନିର୍ବାଚନ ହାରିବା ପରେ ବିଜେଡିରେ ଅଲୋଡ଼ା ହୋଇଯାଇଛନ୍ତି କି ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ? ଏକଥା ଆମେ ଏଇଥିପାଇଁ କହୁଛୁ, କାରଣ ଗତକାଲି ଶଙ୍ଖ ଭବନରେ ହୋଇଥିବା ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନରେ ବବି, ମଞ୍ଚ ଉପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କହିବାର ସୁଯୋଗ ପାଇନଥିଲେ। ଗୋଟେ ପଟେ ଆପଣ ଦେଖୁଛନ୍ତି, ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନେତାଙ୍କ ସହିତ ମଞ୍ଚ ତଳେ ବସିଛନ୍ତି ।
ଆଉ ଗୋଟେ ପଟେ ଜଣେ ପରେ ଜଣେ ନେତା ନବୀନଙ୍କ ଉପସ୍ଥିତିରେ ଅଭିଭାଷଣ ରଖୁଛନ୍ତି । ଦେବୀ ମିଶ୍ର, ଅତନୁ, ଅଶୋକ, ଅରୁଣ, ସଞ୍ଜୟ, ବ୍ୟୋମକେଶ ରାୟ, ସ୍ନେହାଙ୍ଗିନୀ, ଦେବୀ ରଞ୍ଜନ ତ୍ରିପାଠୀ ନବୀନଙ୍କ ଉପସ୍ଥିତିରେ ଭାଷଣ ରଖିଥିଲେ । କିନ୍ତୁ ମଞ୍ଚ ଉପରକୁ ଯାଇ ନବୀନଙ୍କ ଉପସ୍ଥିତିରେ କହିବାକୁ ସୁଯୋଗ ପାଇନଥିଲେ ବବି ।
ଯାହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା। ନିର୍ବାଚନ ହାରିବା ପରେ ବବିଙ୍କର ଦଳରେ ଗୁରୁତ୍ବ କମୁଛି କି ? ଯାଜପୁର ଜିଲ୍ଲା ବରିର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଦଳ ଛାଡିବା ପରେ ସିଧାସଳଖ ବବିଙ୍କୁ ଟାର୍ଗେଟ କରିଥିଲେ । ବଡ଼ଚଣାର ଟାଣୁଆ ନେତା ଅମର ଶତପଥୀ ମଧ୍ୟ ବବିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ ।
ବବି ଦାସ ହେଉଛନ୍ତି ସେହି ନେତା, ଯିଏ ସାଂଗଠନିକ ସମ୍ପାଦକ ଥିବା ବେଳେ ନେତାଙ୍କୁ ମଞ୍ଚ ଉପରୁ ତଳକୁ ଟାଣି ଦେଉଥିଲେ। କୋରାପୁଟ ବିଜେଡି ସମାବେଶରେ ରବିନାରାୟଣ ନନ୍ଦଙ୍କୁ ମଞ୍ଚ ଉପରୁ ଓହ୍ଲାଇ ଦେଇଥିଲେ। ସେହିପରି ରାଜଧାନୀରେ ଦଳୀୟ କାର୍ଯ୍ୟାଳୟରେ ମଞ୍ଚ ଉପରୁ ଶାରଦା ନାୟକ, ଅଶୋକ ବଳଙ୍କ ପରି ବରିଷ୍ଠ ନେତାଙ୍କ ହାତ ଟାଣି ତଳକୁ ଓହ୍ଲାଇ ଦେଇଥିଲେ।