କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ବଡ଼ ଖବର । ଚିଲିକା ଯିବାକୁ ଚିନ୍ତା କରୁଥିଲେ ଜାଣିରଖନ୍ତୁ ଏହି ଖବର । କୁହୁଡ଼ି ପାଇଁ ଚିଲିକାରେ ଡଙ୍ଗା ଚଳାଚଳକୁ ନେଇ ଲାଗିଲା କଟକଣା । ଗତକାଲିର ଅଘଟଣ ପରେ ପୁରୀ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ । ଦିନ ୧୧ଟା ପର୍ଯ୍ୟନ୍ତ ଚିଲିକାରେ କୌଣସି ପ୍ରକାର ଡଙ୍ଗା ଚାଲିବନି । ପର୍ଯ୍ୟଟକଙ୍କ ବୋଟ୍, ଛୋଟ ମଟର, ମାଲ ବାହି ଡଙ୍ଗା ଓ ଭସାପୋଲ ସବୁକିଛିରେ କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ । ପ୍ରବଳ କୁହୁଡ଼ିରେ ଚିଲିକା ଅଞ୍ଚଳରେ ଦୃଶ୍ୟମାନତା କମୁଥିବାରୁ ଏଭଳି ଦୃଢ଼ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । 

Advertisment

ଥଣ୍ଡା ସାଙ୍ଗକୁ କଲବଲ କରୁଛି ଘନକୁହୁଡ଼ି: ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରହୁଛି କୁହୁଡ଼ି

ଘନ କୁହୁଡ଼ି ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଘନ କୁହୁଡି ସମୟରେ କୌଣସି ବି ପରିବହନ ଯେପରି ନ ହୁଏ ତାକୁ ନଜର ରଖିବେ ପୁଲିସ ଓ ସ୍ଥାନୀୟ ପ୍ରଶାସନ । ଏନେଇ ସ୍ଥାନୀୟ ଲୋକଙ୍କୁ ଡାକ ବାଜି ଯନ୍ତ୍ର ଦ୍ବାରା ସଚେତନ କରାଇବେ ସ୍ଥାନୀୟ ବିଡ଼ିଓ । ଗତକାଲି କୁହୁଡି ଯୋଗୁଁ  ଏକ ଭସାପୋଲ ଚିଲିକା ମଝିରେ ଫସିଥିଲା । ସେଥିରୁ ଖସିପଡ଼ି ଜଣେ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଚାଲି ଯାଇଥିଲା । ଏଭଳି  ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଏ କଡ଼ା ନିଷ୍ପତିକୁ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏ ନେଇ ପୁରୀ ଏସପି, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ ପର୍ଯ୍ୟଟନ ବିଭାଗ ର ଅତିରିକ୍ତ ନିର୍ଦ୍ଦେଶକ ଓ କୋଣାର୍କ ପର୍ଯ୍ୟଟନ ଉନ୍ନୟନ ଅଧିକାରୀଙ୍କୁ ଚିଠି ହୋଇଛି । 

ବିଦ୍ୟୁତ ତାର ନେଲା ଶିଶୁର ଜୀବନ: ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ସେପଟେ, ଶୀତ ସାଙ୍ଗକୁ କୁହୁଡ଼ି କରୁଛି କଲବଲ। ସାରା ରାଜ୍ୟରେ ଘନ କୁହୁଡ଼ି ଆସ୍ତରଣ। ନୂଆ ବର୍ଷର ଦ୍ଵିତୀୟ ଦିନରେ ମଧ୍ୟ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଘନ କୁହୁଡ଼ିରେ ଲୁଚି ଯାଇଛି କୋଣାର୍କ ସୂର୍ଯ୍ୟମନ୍ଦିର । ଯାତାୟାତରେ ବାଧାପ୍ରାପ୍ତ ହେଉଛନ୍ତି ପର୍ଯ୍ୟଟକ । ଅତି ନିକଟରୁ ଦେଖାଯାଉନି କୋଣାର୍କର କଳାକୃତି । ଗଞ୍ଜାମ ଆସିକା ଅଞ୍ଚଳରେ ମଧ୍ୟ ସକାଳ ୯ ହେଲାଣି ହେଲେ ଢାଙ୍କି ରହିଛି ଘନ କୁହୁଡି । କୁହୁଡ଼ିର ଆସ୍ତରଣ ଯୋଗୁଁ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ଦୃଶ୍ୟମାନ ଦୂରତା କମିବା ଫଳରେ ଯାନବାହନ ଚଳାଚଳ ରେ ହେଉଛି ସମସ୍ୟା । ଅନ୍ୟପଟେ ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ଭୋରୁ ୪ଟାରୁ ଆରମ୍ଭ ହୋଇଛି କୁହୁଡି । ସାରା ସହର କୁହୁଡିରେ ଢାଙ୍କି ହୋଇଛି । ପାଞ୍ଚ ମିଟର ଆଗକୁ କିଛି ଦେଖାଯାଉନାହିଁ । ତା ସହିତ ଶୀତର ଲହରି ଦେଖିବାକୁ ମିଳିଛି । ସକାଳୁ ସକାଳୁ ଖେଳପଡିଆ, ବିଭିନ୍ନ ପାର୍କକୁ ଆସି କିଏ ବ୍ୟାୟାମ କରୁଛନ୍ତି ତ କିଏ ଖେଳକୁଦ । ଶୀତର ମଜା ନେଉଛନ୍ତି ସ୍ଥାନୀୟ ଲୋକ ।