କନକ ବ୍ୟୁରୋ: ଦୀର୍ଘ ଆଠ ମାସ ଧରି ୩ଟି ବିନ୍ଦୁରେ ଘୁରି ବୁଲୁଛି ବିଜେପି ରାଜ୍ୟ ରାଜନୀତି । କିଏ ହେବେ ରାଜ୍ୟ ବିଜେପି ସଭାପତି? କାହାକୁ ମିଳିବ ବୋର୍ଡ, ନିଗମ ପଦ? କେବେ ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ? ଏହାକୁ ନେଇ ବିଜେପି ଶିବିର ଚଳଚଂଚଳ । ଗତକାଲି ଦିଲ୍ଲୀରୁ ଫେରିବା ପରେ ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ବସିଥିଲା ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ଭଳି ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏମାନଙ୍କ ଉପସ୍ଥିତିରେ ବିଭିନ୍ନ ବୋର୍ଡ ଓ ନିଗମ ନିଯୁକ୍ତି ନେଇ ହୋଇଛି ମାନସ ମନ୍ଥନ ।
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା
ସୂଚନା ଅନୁସାରେ, ବୋର୍ଡ ଓ ନିଗମରେ କାହାକୁ ମିଳିବ ଦାୟିତ୍ବ ? ସେନେଇ ଉଚ୍ଚସ୍ତରୀୟ ବୈଠକରେ ମୋହର ବାଜିସାରିଛି । ଯେକୌଣସି ମୁହୂର୍ତରେ ଏନେଇ ଘୋଷଣା ହୋଇପାରେ । ସେପଟେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ମଧ୍ୟ ବଢିଛି ।
ବିଜେପି ପ୍ରଥମ ଥର ଲାଗି ସରକାରକୁ ଆସିବା ପରେ ପରଦା ପଛରେ ରହି ସଂଗଠନର ଦାୟିତ୍ବ ନେଉଥିବା ନେତାଙ୍କୁ ବୋର୍ଡ, ନିଗମରେ ଥିବା ପଦ ପଦବୀରେ ଥଇଥାନ କରିବାକୁ ଯୋଜନା କରୁଛି । ବିଜେପି ରାଜ୍ୟ ସଭାପତିଙ୍କ ନାଁ ବି ଏଯାଏଁ ଘୋଷଣା ହୋଇପାରିନି । ରେସରେ ଆଗରେ ଅଛନ୍ତି ମନମୋହନ ସାମଲ ଓ ଗୋଲକ ମହାପାତ୍ର । ନିଗମ ଓ ବୋର୍ଡ ଘୋଷଣା ପରେ ହୋଇପାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ।
ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଓ ବୋର୍ଡ ନିଗମ ଅଧ୍ୟକ୍ଷ ଘୋଷଣା ଉପରେ ଆମଦାନୀ ନେତାଙ୍କ ଆଖି ରହିଛି । ନିର୍ବାଚନ ପୂର୍ବରୁ ଅନ୍ୟ ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ନେତା ବି ଏହି ଦୌଡରେ ଅଛନ୍ତି ।