କନକ ବ୍ୟୁରୋ : ରାଜସ୍ବ ଅର୍ଥ ବାଟମାରଣା ରୋକିବାକୁ ବ୍ରହ୍ମପୁର ମହାନଗର ନିଗମର ନୂଆ ପଦକ୍ଷେପ । ବିଇଏମସିର ଦୋକାନ ଗୃହ ନେଇଥିବା ସମସ୍ତ ଦୋକାନୀଙ୍କୁ ଦିଆଯାଇଛି କ୍ୟୁଆର୍ କୋଡ୍। ଯେଉଥିରେ ବ୍ୟବସାୟୀମାନେ ସିଧାସଳଖ ପେମେଣ୍ଟ କରିପାରିବେ। ଦୋକାନରେ ରଖାଯାଇଥିବା ଏ କ୍ୟୁଆର୍ କୋଡକୁ ଦେଖନ୍ତୁ। ଏହା ଗ୍ରାହକଙ୍କ ପାଇଁ ନୁହେଁ, ବରଂ ବ୍ୟବସାୟୀଙ୍କ ପାଇଁ। ଅନ୍ଲାଇନ୍ କାରବାର ବଢ଼ିବା ପରେ ବ୍ୟବସାୟୀମାନେ ଗ୍ରାହକଙ୍କ ଠାରୁ କ୍ୟୁଆର୍ କୋଡ୍ରେ ଟଙ୍କା ଗ୍ରହଣ କରୁଥିଲେ। ଏବେ କିନ୍ତୁ କ୍ୟୁଆର୍ କୋଡ୍ ମାଧ୍ୟମରେ ନିଜେ ଭରିବେ ଟଙ୍କା। ବ୍ରହ୍ମପୁରରେ ବିଭିନ୍ନ ଦୋକାନରେ ଏଭଳି କ୍ୟୁଆର୍ କୋଡ୍ ରଖାଯାଇଛି। ଯେଉଁଥିରେ ଦୋକାନୀମାନେ ସିଧାସଳଖ ବିଇଏମ୍ସିକୁ ନିଜର ମାସିକ ଦୋକାନ ଭଡ଼ା ଦେଇପାରିବେ। ଏହା ଦ୍ବାରା ଦୁର୍ନୀତି ରୋକାଯାଇପାରିବ ବୋଲି କୁହାଯାଉଛି।
- ପ୍ରାୟ ୧୧୨୭ ଦୋକାନୀଙ୍କୁ କ୍ୟୁଆର୍ କୋଡ୍ ପ୍ରଦାନ କରାଯିବ
- ଯିଏ ବକେୟା ରଖିବେ ତୁରନ୍ତ ଜାଣିପାରିବ ବିଇଏମସି
- ପରବର୍ତ୍ତୀ ସମୟରେ ବକେୟା ଅର୍ଥ ଆଦାୟ କରିବାରେ ହେବ ସହାୟକ
- ଆଗକୁ ୟୁଜର୍ସ ଫି’ ଆଦାୟ ପାଇଁ ମଧ୍ୟ ଏହି କ୍ୟୁଆର୍ କୋଡ୍ ବ୍ୟବହାର ହେବ
ଅଧିକ ପଢ଼ନ୍ତୁ: ବ୍ରହ୍ମପୁରରେ କାହାପାଇଁ ମାଗଣା ୱାଇଫାଇ ସେବା ? ଖବର ବାଜିବା ପରେ ସଚେତନ ହେଲା ବିଇଏମସି
ପୂର୍ବରୁ ଦୋକାନୀମାନେ ମାସିକ ଭଡ଼ା ଅର୍ଥ ଦେବା ପାଇଁ ବିଇଏମସିକୁ ଯାଇ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହୁଥିଲେ। କିଛି ସମୟରେ ବିଇଏମସିର କର୍ମଚାରୀମାନେ ମଧ୍ୟ ଦୋକାନୀଙ୍କ ନିକଟରେ ପହଞ୍ଚି ଭଡ଼ା ଅର୍ଥ ସଂଗ୍ରହ କରୁଥିଲେ। ଆଉ ଏହି ସମୟରେ ଦୋକାନୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଟଙ୍କା ପୈଠକୁ ନେଇ ଦୁର୍ନୀତି ହେଉଥିବା ଅଭିଯୋଗ ଆସିଥିଲା। ଯାହାର ସମାଧାନ ପାଇଁ ଏ କ୍ୟୁଆର୍ କୋଡ୍ ରାସ୍ତା ଆପଣାଇଛି ବିଇଏମ୍ସି। ଆଗାମୀ ଦିନରେ ଟ୍ରେଡ୍ ଲାଇସେନ୍ସ ନବୀକରଣ ଦେୟ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଦେୟ ମଧ୍ୟ ଏଭଳି କ୍ୟୁଆର୍ କୋଡ୍ ଦ୍ବାରା ହିଁ ଗ୍ରହଣ କରାଯାଉ ବୋଲି ବ୍ୟବସାୟୀ ଦାବି କରିଛନ୍ତି।
Follow Us