କନକ ବ୍ୟୁରୋ: ବିଏମସି ଅଫିସରେ ଅତିରିକ୍ତ କମିସନରଙ୍କୁ ମାଡ଼ ମାରିବା ଘଟଣା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଭିନ୍ନ ଜିଲ୍ଲାରେ କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ଓଏଏସ୍ ସଂଘ । ଏପଟେ ଉଠୁଛି ପଡୁଛି ଭୁବନେଶ୍ବର । ୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦଳ ନିଜକୁ ଦୂରେଇ ରଖିଛି । 

Advertisment
  • ରାଜଧାନୀରେ ଆକ୍ରମଣ
  • ସାରା ଓଡ଼ିଶାରେ ଓଏଏସ୍‌ଙ୍କ ପ୍ରତିବାଦ
  • ସରକାରୀ ଅଫିସରେ ଅସୁରକ୍ଷିତ ଅଫିସର

ବିଏମସି ଅଫିସରେ କୋକୁଆ ଭୟ । ସମସ୍ତଙ୍କ ମନରେ ଛନକା । ଆଖି ଆଗରେ ଅଫିସ ଭିତରେ ପଶି ସହକର୍ମୀଙ୍କୁ ଗୋଇଠା, ବିଧା ମାରି ଯେଉଁଭଳି ଆତଙ୍କରାଜ ସୃଷ୍ଟି କରାଗଲା ତାକୁ ନେଇ ଅନ୍ୟ ଅଫିସର୍ ନିଜକୁ ଅସୁରକ୍ଷିତ ମଣିଲେଣି । ମାଡ଼ ଘଟଣାକୁ ବିରୋଧ କରି କଲମଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଏମ୍‌ସି ଅଧିକାରୀ । କାର୍ପଟଦାରଙ୍କ ଗିରଫ ଦାବି କରିଛନ୍ତି ମେୟର ସୁଲୋଚନା ଦାସ ।

ସେପଟେ ରାଜଧାନୀରେ ଆକ୍ରମଣର ପ୍ରତିବାଦ ନିଆଁ ପୂରା ଓଡ଼ିଶାକୁ ବ୍ୟାପିଛି । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଓଏଏସ୍ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ କରାଯାଇଛି । ସମସ୍ତଙ୍କର ଗୋଟିଏ ଦାବି, ମାଡ଼ ମାରିଥିବା ଅଭିଯୁକ୍ତ ଏବଂ ଘଟଣା ପଛର କାର୍ପଟଦାରଙ୍କ ଉପରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ବିଜେପି ୫ଜଣଙ୍କୁ ଦଳରୁ ନିଲମ୍ବନ କରି କାର୍ଯ୍ୟ ସାରିଛି କିନ୍ତୁ ଗୋଟିଏ ହାତରେ ତାଳି ବାଜେନି କହି ଅତିରିକ୍ତ କମିଶନରଙ୍କ ଉପରକୁ ଦୋଷ ଠେଲିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ସେପଟେ ଅତିରିକ୍ତ କମିଶନର ରତ୍ନାକର ସାହୁ କହିଛନ୍ତି, ଆଇନ ଉପରେ ଭରସା ଅଛି, ନ୍ୟାୟ ନିଶ୍ଚିତ ମିଳିବ । 

ସୂଚନାଯୋଗ୍ୟ ଯେ, ବିଏମସି ଅଧିକାରୀଙ୍କୁ ଆକ୍ରମଣ ଘଟଣାକୁ ନେଇ ସବୁଆଡ଼ୁ ସମାଲୋଚନାର ଶିକାର ହେଉଛନ୍ତି ସରକାର । ଘଟଣାରେ ସମ୍ପୃକ୍ତ ୫ କର୍ମୀଙ୍କୁ ଦଳରୁ ନିଲମ୍ବିତ କରିଛି ବିଜେପି ।