କନକ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ । ଏନେଇ ପ୍ରମାଣ ମିଳିବା ପରେ ଆଲର୍ଟମୋଡକୁ ଆସିଛି ଭାରତୀୟ ସେନା । ଏଥର ସୀମା ସେପାରିରେ ଥିବା ଆତଙ୍କବାଦୀଙ୍କ ଅନ୍ତ କରିବାକୁ ଅଣ୍ଟା ଭିଡ଼ିଛି ଭାରତ । ଦିଲ୍ଲୀରେ ଘନଘନ ବୈଠକ ସଂକେତ ଦେଉଛି ଆଗକୁ ବଡ ଆକ୍ସନ ନେଇପାରେ ଭାରତ ।
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ମୋଦୀଙ୍କ ରଣହୁଙ୍କାର ପାକିସ୍ତାନ ମନରେ ଛନକା ଭରିଛି । ପ୍ରତିଟି ଭାରତୀୟଙ୍କ ମନରେ ପ୍ରତିଶୋଧର ନିଆଁ ଜଳୁଥିବା ବେଳେ ସେନା ପକ୍ଷରୁ ଆରମ୍ଭ ହୋଇଛି ଅପରେସନ । ଆତଙ୍କବାଦୀଙ୍କୁ ନିପାତ କରିବାକୁ ପଣ କରିଛନ୍ତି ଭାରତର ବୀର ଯୋଦ୍ଧା । ଗୋଟିଏ ପଟେ ବାୟୁସେନା 'ଆକ୍ରମଣ' ନାଁରେ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ଆଉ ଅନ୍ୟପଟେ ଦିଲ୍ଲୀରେ ଘନ ଘନ ବୈଠକ ଭିତରେ ଆଜି ଶ୍ରୀନଗରରେ ପହଞ୍ଚିଛନ୍ତି ସେନାଧ୍ୟକ୍ଷ । ଆତଙ୍କବାଦୀ ଆକ୍ରମଣ ପରେ ସୀମାରେ ହଲଚଲ ଆରମ୍ଭ ହୋଇଛି । ଯାହା ପାକିସ୍ତାନର ନିଦ ହଜାଇ ଦେଇଛି । ଗୃହଯୁଦ୍ଧ ଭିତରେ ପାକିସ୍ତାନ ସେନା ନିଜର ଅସ୍ତିତ୍ବ ବଞ୍ଚାଇବା ପାଇଁ ଏବେ ଯୁଦ୍ଧକୁ ଆଶ୍ରା କରିଛି ।
ଆତଙ୍କବାଦୀଙ୍କୁ କିଛି ସ୍ଥାନୀୟ ଯୁବକ ସହଯୋଗ କରିଥିବା ଜାଣିବା ପରେ ଆକ୍ସନମୋଡକୁ ଆସିଛି ଭାରତୀୟ ସେନା । ସହଯୋଗ କରିଥିବା ଆତଙ୍କବାଦୀଙ୍କ ଘର ବିସ୍ଫୋରଣରେ ଉଡ଼ାଇ ଦେଇଛି ସେନା । ଖୋଜି ଖୋଜି ଏଭଳି ସୈତାନଙ୍କୁ ଶାସ୍ତି ଦେବାକୁ ପୂରା ଦେଶରୁ ଉଠିଛି ଦାବି ।
ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ ୱାଟରଷ୍ଟ୍ରାଇକ କରିଛି । ସିନ୍ଧୁ ଜଳ ଚୁକ୍ତି ବାତିଲ କରି ବିଭିନ୍ନ ଡ୍ୟାମ ଦେଇ ପାକିସ୍ତାନକୁ ଯାଉଥିବା ଜଳ ବନ୍ଦ କରିଛି ଭାରତ । ଏହାଭିତରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶ୍ରୀନଗରରେ ପହଞ୍ଚି ଆହତଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି । ଆତଙ୍କବାଦୀ ସମାଜକୁ ବାଣ୍ଟିବାକୁ ଚାହୁଛନ୍ତି । କିନ୍ତୁ ଭାରତ ଏହାକୁ ସଫଳ ହେବାକୁ ଦେବନି । ସରକାର ଯେଉଁ ପଦକ୍ଷେପ ନେବେ ସେଥିପାଇଁ ସମର୍ଥନ ରହିବ ବୋଲି କହିଛନ୍ତି ରାହୁଲ।
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ପୂରା ବିଶ୍ବ ନିନ୍ଦା କରୁଛି । କିନ୍ତୁ ପାକିସ୍ତାନ ଉପ-ପ୍ରଧାନମନ୍ତ୍ରୀ ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ସ୍ବାଧୀନତା ସଂଗ୍ରାମୀ କହିବା ସ୍ପଷ୍ଟ କରିଛି ପୂରା ଘଟଣାକ୍ରମକୁ ଇସଲାମାବାଦରୁ ଅପରେଟ କରାଯାଉଥିଲା ।