କନକ ବ୍ୟୁରୋ : ବୁର୍ଲା ଭିମ୍‌ସାର୍‌ରେ ରକ୍ତ ଅଭାବ,ଭିମ୍‌ସାର ରକ୍ତ ଭଣ୍ଡାରରେ ଆଦୌ ରକ୍ତ ନାହିଁ । ଫଳରେ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ । ରକ୍ତଦାନ ପାଇଁ ରକ୍ତଭଣ୍ଡାର ଅଧିକାରୀ ଅନୁରୋଧ କରିଛନ୍ତି । ବୁର୍ଲା ବଡ଼ ମେଡିକାଲରେ ରକ୍ତ ସଙ୍କଟ ଦେଖାଦେଇଛି ।  ରକ୍ତଦାନ ଶିବିର ହୋଇ ନପାରିବାରୁ ରକ୍ତ ସଂଗ୍ରହ ହୋଇପାରିନାହିଁ । ରକ୍ତଦାନ ଶିବିରରୁ ସଂଗୃହୀତ ରକ୍ତର ୪୦ ପ୍ରତିଶତ ଥାଲାସେମିଆ ରୋଗୀଙ୍କୁ ଦିଆଯାଇଥାଏ ।  ପ୍ରତିଦିନ ଭିମସାରରେ ଥାଲାସେମିଆ ରୋଗୀଙ୍କୁ ରକ୍ତ ଦରକାର ପଡୁଛି । ଜଣେ ରୋଗୀଙ୍କୁ ଏକାଥରେ ୩-୪ ୟୁନିଟ୍ ରକ୍ତ ଦରକାର ହେଉଥିବା ବେଳେ ରକ୍ତ ଅଭାବରୁ ରୋଗୀ ସମସ୍ୟାରେ ପଡୁଛନ୍ତି । 

Advertisment

ଗର୍ଭବତୀ, ଦୁର୍ଘଟଣାଗ୍ରସ୍ତ ଓ ଅନ୍ୟରୋଗୀଙ୍କ ପାଇଁ ମଧ୍ୟ ରକ୍ତ ଦରକାର ହୁଏ । ହଠାତ୍‌ ଜଣେ ଗୁରୁତର ରୋଗୀ ଆସିଲେ କ’ଣ ହେବ ? ଯଦି ଅପରେସନ୍‌ ପାଇଁ ରକ୍ତ ଦରକାର ହୁଏ, କେମିତି ରକ୍ତ ଯୋଗାଡ଼ ହେବ ? ଏତେ ବଡ଼ ଡାକ୍ତରଖାନରେ ଇଏ କି ବ୍ୟବସ୍ଥା ? ରକ୍ତ ଭଣ୍ଡାର ଅଧିକାରୀଙ୍କ କହିବା କଥା, ବୁର୍ଲା ଓ ସମ୍ବଲପୁରରେ ରକ୍ତଦାନ ଶିବିର ଆୟୋଜନ ହୋଇ ପାରୁ ନଥିବାରୁ ଏପରି ସମସ୍ୟା ଉପୁଜିଛି । ବୁର୍ଲା ମେଡିକାଲ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ଭୟଙ୍କର ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି  । କେତେବେଳେ କାହାର ଜୀବନ ଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।