ରକ୍ତ ନଦେଲେ ରକ୍ତ ମିଳୁନି ; ରକ୍ତ ଭଣ୍ଡାରରେ ରକ୍ତ ଅଭାବ

ରକ୍ତ ଭଣ୍ଡାରରେ ରକ୍ତ ନାହିଁ । ବଢ଼ି ଚାଲିଛନ୍ତି ରୋଗୀ, ହେଲେ ଆସୁନାହାନ୍ତି ରକ୍ତଦାତା । ରକ୍ତ କେଉଁଠୁ ଯୋଗାଡ଼ କରିବା ନେଇ ଚିନ୍ତାରେ ସମ୍ପର୍କୀୟ ଓ ଅଭିଭାବକ । ରୋଗୀଙ୍କ ସଂଖ୍ୟା ଅନୁପାତରେ ରକ୍ତଦାତା ଆସୁନଥିବାରୁ ଅବସ୍ଥା ସାଂଘାତିକ ।

Blood scarcity

Blood scarcity Photograph: (KanakNews)

କନକ ବ୍ୟୁରୋ : ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ । ବଢ଼ି ଚାଲିଛନ୍ତି ରୋଗୀ, ହେଲେ ଆସୁନାହାନ୍ତି ରକ୍ତଦାତା ।  ରୋଗୀଙ୍କ ପାଇଁ ରକ୍ତ କେଉଁଠୁ ଯୋଗାଡ଼ କରିବେ ଏହି ଚିନ୍ତାରେ ଘାଣ୍ଟି ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଫଳରେ ସାହି ପଡ଼ିଶା, ସମ୍ପର୍କୀୟଙ୍କ ପାଖରେ ନେହୁରା ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ । ବାଲେଶ୍ବର ରକ୍ତ ଭଣ୍ଡାରରୁ ଆସିଛି ଏଭଳି ଅଭାବନୀୟ ଖବର । 

ସଞ୍ଜୁଲତା ପ୍ରଧାନ, ତାଙ୍କ ସ୍ବାମୀଙ୍କୁ ରକ୍ତ କର୍କଟ । କିନ୍ତୁ ରକ୍ତ ମିଳୁନଥିବାରୁ କ’ଣ କରିବେ ମୁଣ୍ଡରେ ବୁଦ୍ଧି ପଶୁନି । ଆଉ ଜଣେ ହେଉଛନ୍ତି ବାଲିଆପାଳର ମନ୍ମଥ କରଣ । ୯ ବର୍ଷର ଝିଅ ପାଇଁ ମାସକୁ ଦରକାର ୨ ୟୁନିଟ୍ ରକ୍ତ । ଜଣେ ରକ୍ତଦାତାଙ୍କୁ ଆଣିବା ପରେ ଗୋଟିଏ ୟୁନିଟ୍ ରକ୍ତ ମିଳିଛି । ସେହିପରି ହାତରେ ଭେନଫ୍ଲୋ ଲଗାଇ ରକ୍ତ ଭଣ୍ଡାର ଆଗରେ ଅପେକ୍ଷା କରିଛନ୍ତି ୧୧ ବର୍ଷର ଝିଅ ଓ ତାଙ୍କ ମାଆ । ମାସକୁ ୪ ୟୁନିଟ୍ ରକ୍ତ ଦରକାର । କିନ୍ତୁ ଏତେ ଡୋନର କେଉଁଠୁ ଆଣିବେ ସେ ନେଇ ଚିନ୍ତା ।

ବାଲେଶ୍ବରରେ ଦିନକୁ ଦିନ ବଢୁଛି ରୋଗୀଙ୍କ ସଂଖ୍ୟା । କିନ୍ତୁ ସେହି ଅନୁପାତରେ ଆସୁନାହାନ୍ତି ରକ୍ତଦାତା । ଖରା ଦିନରେ ଅବସ୍ଥା ଆହୁରି ସାଂଘାତିକ ହୋଇପଡ଼ୁଛି । ଦିନକୁ ଆବଶ୍ୟକ ହେଉଛି ୧୦୦ ୟୁନିଟ୍ ରକ୍ତ । ଜାନୁଆରିରୁ ଆଜି ସୁଦ୍ଧା ସଂଗ୍ରହ ହୋଇଛି ୧୨,୬୮୧ ୟୁନିଟ୍ । ଲୋକେ ନେଇଛନ୍ତି ୧୨,୪୧୭ ୟୁନିଟ୍ ରକ୍ତ । ୬୪ ୟୁନିଟ୍ ରକ୍ତ ନଷ୍ଟ ହୋଇଯାଇଛି । ଅକ୍ଟୋବର ୨୦୨୪ରେ ସଂଗ୍ରହ ହୋଇଛି ୧୮୩୨ ୟୁନିଟ୍ ହେଲେ ଲୋକେ ନେଇଛନ୍ତି ୨୨୫୭ ୟୁନିଟ୍ ରକ୍ତ । ନଭେମ୍ବର ୨୦୨୪ରେ ସଂଗ୍ରହ ୨୨୧୫ ୟୁନିଟ୍ , ରୋଗୀଙ୍କୁ ମିଳିଛି ୨୨୭୧ ୟୁନିଟ୍‌ । ତେବେ ଗରମ କାରଣରୁ ଲୋକେ ରକ୍ତଦାନ ପାଇଁ ଇଚ୍ଛା କରୁନଥିବା କହିଛନ୍ତି ରକ୍ତ ଭଣ୍ଡାର ଅଧିକାରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe