କନକ ବ୍ୟୁରୋ: ଆକାଶରେ ଘଟୁଥିବା ବିଭିନ୍ନ ମହାଜାଗତିକ ଘଟଣା ସବୁବେଳେ ମଣିଷକୁ ଆକର୍ଷିତ କରିଆସିଛି। ଏହିପରି ଏକ ଦୁର୍ଲଭ ଏବଂ ମନୋମୁଗ୍ଧକର ଘଟଣା ହେଉଛି "ବ୍ଲଡ୍ ମୁନ୍" ବା "ରକ୍ତ ଚନ୍ଦ୍ର" । ୨୦୨୫ ମସିହାରେ ପୁଣି ଥରେ ଏହି ଅଭୁତ ଦୃଶ୍ୟ ଦେଖିବାକୁ ମିଳିବ ।  ଯେତେବେଳେ ସମ୍ପୂର୍ଣ୍ଣ ଚନ୍ଦ୍ର ରକ୍ତ ପରି ଲାଲ୍ ଦେଖାଯିବ। ଆସନ୍ତୁ ଜାଣିବା ଏହା କେବେ ଘଟିବ ଏବଂ ଭାରତରେ ଏହାର ପ୍ରଭାବ କ'ଣ ରହିବ।

Advertisment

କ'ଣ ଏହି ବ୍ଲଡ୍ ମୁନ୍ ଏବଂ କାହିଁକି ଏହା ଲାଲ୍ ଦେଖାଯାଏ?
ବୈଜ୍ଞାନିକ ଭାଷାରେ, ବ୍ଲଡ୍ ମୁନ୍ ହେଉଛି ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଏହା ସେତେବେଳେ ଘଟେ, ଯେତେବେଳେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଏକ ସରଳ ରେଖାରେ ଆସିଯାଆନ୍ତି ଏବଂ ପୃଥିବୀର ଛାଇ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ଦିଏ ।
ଚନ୍ଦ୍ର ଉପରେ ସିଧାସଳଖ ସୂର୍ଯ୍ୟ କିରଣ ନ ପଡ଼ିଲେ ମଧ୍ୟ ପୃଥିବୀର ବାୟୁମଣ୍ଡଳ ଦେଇ କିଛି ସୂର୍ଯ୍ୟକିରଣ ଚନ୍ଦ୍ର ପୃଷ୍ଠରେ ପଡ଼ିଥାଏ । ଆମ ବାୟୁମଣ୍ଡଳ ସୂର୍ଯ୍ୟକିରଣରୁ ନୀଳ ରଙ୍ଗକୁ ବିଚ୍ଛୁରିତ କରିଦିଏ, କିନ୍ତୁ ଲାଲ୍ ରଙ୍ଗର ଆଲୋକ ତାହାକୁ ଅତିକ୍ରମ କରି ଚନ୍ଦ୍ର ଉପରେ ପଡ଼େ। ଏହି କାରଣରୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ତମ୍ବା ରଙ୍ଗ ବା ଗାଢ଼ ଲାଲ୍ ରଙ୍ଗର ଦେଖାଯାଏ, ଯାହାକୁ "ବ୍ଲଡ୍ ମୁନ୍" କୁହାଯାଏ । 

୨୦୨୫ ମସିହାରେ କେବେ ଦେଖାଯିବ ବ୍ଲଡ୍ ମୁନ୍?
ଜ୍ୟୋତିର୍ବିଜ୍ଞାନୀଙ୍କ ଗଣନା ଅନୁଯାୟୀ, ୨୦୨୫ ମସିହାର ସେପ୍ଟେମ୍ବର ୭/୮ ତାରିଖରେ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ବା ବ୍ଲଡ୍ ମୁନ୍ ଦେଖିବାକୁ ମିଳିବ। ଏହା ୨୦୨୫ ମସିହାର ପ୍ରଥମ ଏବଂ ଏକମାତ୍ର ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଏହି ଦିନ ପୃଥିବୀର ଛାଇରେ ଚନ୍ଦ୍ର ଧୀରେ ଧୀରେ ପ୍ରବେଶ କରିବ ଏବଂ କିଛି ସମୟ ପାଇଁ ଏକ ରକ୍ତିମ ଆଭା ଧାରଣ କରିବ।


ଭାରତରେ ଦେଖାଯିବ କି ଏହି ବ୍ଲଡ୍ ମୁନ୍ ?
ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଭାରତର ଲୋକମାନେ ଏହି ମହାଜାଗତିକ ଦୃଶ୍ୟକୁ ଦେଖିପାରିବେ କି ନାହିଁ?
ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବ । ଏଥିସହିତ ଏସିଆ, ଅଷ୍ଟ୍ରେଲିଆ ଏବଂ ୟୁରୋପର କିଛି ଭାଗରେ ନଜର ଆସିବ । ଭାରତର ଲୋକେ ମହାଜାଗତିକ ଦୃଶ୍ୟକୁ ରାତି ୧୧ଟାରୁ ୧୨.୨୨ ପର୍ଯ୍ୟନ୍ତ ଦେଖିପାରିବେ । ଏହା ପାଖାପାଖି  ୮୨ ମିନିଟ୍‌  ପର୍ଯ୍ୟନ୍ତ  ପୂର୍ଣ୍ଣ ଚନ୍ଦ୍ର ରାଲ୍‌ ରଙ୍ଗରେ ବୁଡିକି ରହିବ ।