କନକ ବ୍ୟୁରୋ : ରକ୍ତ ଦେଲେ ବଞ୍ଚିବ ଜୀବନ । ରକ୍ତଭଣ୍ଡାରରେ ରକ୍ତ ଅଭାବ, ହନ୍ତସନ୍ତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ତରାନା ଗୁଲସନ ନାମକ ଜଣେ ବ୍ୟକ୍ତି  ନିମାପଡ଼ାରୁ ଧାଇଁ ଆସିଛନ୍ତି ଦୁଇଝିଅଙ୍କ ଜୀବନ ବଞ୍ଚାଇବାକୁ । ଦୁଇଝିଅ ମୋଫିନା ଆଉ ଫରହାନା ଥାଲାସେମିଆରେ ପୀଡିତ ଥିବା ବେଳେ ପ୍ରତି ମାସରେ ଦରକାର ପଡୁଛି ପ୍ରାୟ ୬ ପ୍ୟାକେଟ ରକ୍ତ । ପୁରୀରେ ରକ୍ତ ମିଳୁନଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଖୋଜୁଛନ୍ତି ରକ୍ତଦାତା । ଯେତେ ନିବେଦନ କଲେ ମଧ୍ୟ ମିଳୁନାହାନ୍ତି ଡୋନର । 

Advertisment

ଆଉ ଜଣେ ହେଲେ ପୁଷ୍ପଲତା ସାମନ୍ତରାୟ । ନିଜ ୧୩ ବର୍ଷର ପୁଅ ନିଖିଳକୁ ନେଇ ପିପିଲିରୁ ଆସିଛନ୍ତି । ହେଲେ ରକ୍ତ କେବେ ମିଳୁଛି ତ ଆଉ କେବେ ରକ୍ତଦାତା ଖୋଜି ଖୋଜି ନୟାନ୍ତ ହେବାକୁ ପଡୁଛି। କେବଳ ତରାନା କି ପୁଷ୍ପଲତା ନୁହନ୍ତି, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପ୍ରତିଦିନ ଏଭଳି ଅନେକ ରୋଗୀ ଆସୁଛନ୍ତି, ଯେଉଁମାନେ ଡୋନର ପାଇଁ ନିବେଦନ କରି କରି ଶେଷରେ ନିରାଶ ହୋଇ ଫେରୁଛନ୍ତି । ରକ୍ତଭଣ୍ଡାରରେ ରକ୍ତ ଅଭାବ ଥିବାରୁ ବେଳେବେଳେ ଗୋଟିଏ ବି ଯୋଗାଡ଼ କରିବା ମୁସ୍କିଲ ହୋଇପଡୁଛି।  

ବର୍ଷ ସାରା କଥା ଅଲଗା । କିନ୍ତୁ ଖରାଦିନ ଆସିଗଲେ ସମସ୍ୟା ନକହିବା ଭଲ । ଖରା ଦିନରେ ରକ୍ତ ଅଭାବ ବଢ଼ି ଯାଉଛି । ବିଜେଡି ସରକାର ସମୟରେ ରକ୍ତ ଅଭାବ ପୂରଣ ପାଇଁ ଜୀବନ ବିନ୍ଦୁ ଭଳି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା । ହେଲେ, ବିଡମ୍ବନାର ବିଷୟ ଏହା କେବଳ ବିଜୁ ଜନତା ଦଳ ଭିତରେ ସୀମିତ ରହିଥିଲା । ସରକାରୀ ଭାବେ ଯଦି ଦୀର୍ଘସ୍ଥାୟୀ ଯୋଜନା କରାଯାଇଥାନ୍ତା, ତାହେଲେ ହୁଏତ ଏବେ ଏଭଳି ବିକଳ ଚିତ୍ର ସାମନାକୁ ଆସିନଥାନ୍ତା ।  

୨୦୨୪ରେ ରେଡକ୍ରସ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ସମଗ୍ର ରାଜ୍ୟରେ ୨ ଲକ୍ଷ ୪୧ହଜାର ୯୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କେବଳ କ୍ୟାପିଟାଲ ହସ୍ପିଟାଲ ଅଧୀନରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ୭୦୦ ।  ଅନ୍ୟପଟେ ଅସହ୍ୟ ଖରା ଯୋଗୁଁ ମିଳୁନାହାନ୍ତି ଅଧିକ ରକ୍ତଦାତା । ତଥାପି ବିଭିନ୍ନ ସ୍ଥାନରେ ଜନ ସଚେତନତା ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଉଛି । ଆସନ୍ତା ୮ ତାରିଖରେ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ଅବସରରେ ପାଳନ ହେବ ରକ୍ତଦାନ ଦିବସ ।