କନକ ବ୍ୟୁରୋ: ୩ ଦିନ ହେଲା ଆକାଶରୁ ଯେମିତି ନିଆଁ ବର୍ଷୁଛି । ତାତି ସହ ଗୁଳୁଗୁଳିରେ କଲବଲ ହେଲେଣି ଲୋକେ । ଘରୁ ବାହାରକୁ ବାହାରିଲେ ମୁହଁ ପୋଡିଯାଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା ଶୁକ୍ରବାର ଯାଏଁ ତାତିରୁ ନିସ୍ତାର ନାହିଁ ।
ବର୍ତ୍ତମାନ ଦିନ ୧୧ଟା ସୁଦ୍ଧା ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୨ ଡିଗ୍ରୀ ପହଞ୍ଚି ଯାଉଛି । ଲଗାତାର ଭାବେ ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହୁଛି । ଆଗାମୀ ୩ ଦିନ ଯାଏ ସିଭିୟର ହିଟ୍ ୱେଭ୍ ରହିବ । ଗ୍ରୀଷ୍ମ ପ୍ରବାହକୁ ନେଇ ଆସନ୍ତାକାଲି ଝାରସୁଗୁଡା, ବୌଦ୍ଧ, ବଲାଙ୍ଗୀର,ସୁନ୍ଦରଗଡ, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ସୋନପୁର ଭଳି ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନୁଗୁଳ, ନୂଆପଡା ଓ ଦେବଗଡକୁ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ଉଷ୍ମ ରାତ୍ରି ପାଇଁ ସମ୍ବଲପୁର ସୁନ୍ଦରଗଡ ଓ ବଲାଙ୍ଗୀର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୬ ତାରିଖ ଯାଏଁ ଅସମ୍ଭାଳ ଗରମ ସହ ଗୁଳୁଗୁଳି ଜାରି ରହିବ । ୨ ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇବ । ଝାରସୁଗୁଡ଼ାରେ ସିଭିୟର ହିଟ୍ ୱେଭ୍ ସହ ତାପମାତ୍ରା ୪୮ ଡିଗ୍ରୀ ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
- ଖରା ପାଇଁ ବଢ଼ୁଛି ଅଭିଭାବକଙ୍କ ଚିନ୍ତା
- ସ୍କୁଲ ବନ୍ଦ ନେଇ ଖୁବଶୀଘ୍ର ନିଷ୍ପତ୍ତି
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ତୁରନ୍ତ ସ୍କୁଲ ବନ୍ଦ ନେଇ ସରକାରଙ୍କୁ ଚିଠି ଲେଖିଛି ଅଭିଭାବକ ସଂଘ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ମଧ୍ୟରେ ସ୍କୁଲ ବନ୍ଦ ନେଇ ଆସିପାରେ ନିଷ୍ପତ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ଵ ମନ୍ତ୍ରୀ । ଆବଶ୍ୟକ ସ୍ଥଳେ ଅଙ୍ଗନବାଡ଼ି ମଧ୍ୟ ଛୁଟି ହୋଇପାରେ । ତେବେ ୨୬ ପରେ ଧୀରେ ଧୀରେ ଗ୍ରୀଷ୍ଣପ୍ରବାହ କମିବ । ତାପମାତ୍ରା ୨ ରୁ ୪ ଡିଗ୍ରୀ କମିବା ସହ କାଳବୈଶାଖୀ ବର୍ଷା ହୋଇପାରେ ।