କନକ ବ୍ୟୁରୋ : ଓଃ କି ସ୍ବର , ସେ ସ୍ବରରେ କି ଭାବ, ସତେ ଯେମିତି ଭକ୍ତିର ସାଗରରେ ଉଠୁଛି ସମର୍ପଣର ଲହଡ଼ି । ଶୁଣିଲେ ଏମିତି ଶୁଣିବାକୁ ଇଚ୍ଛା ହେଉଛି । ଲାଗୁଛି ଏ ବ୍ୟକ୍ତି ଜଣଙ୍କ ଉପରେ ସତେ ଯେମିତି ବିଶେଷ କୃପା କରିଛନ୍ତି , ତାଙ୍କ ନାମ ଗାଇବାକୁ । ଯାଜପୁର ରସୁଲପୁର ବ୍ଳକ୍ କୁଣ୍ଡାପାଟଣା ରାଉତରାପୁର ଗାଁର ମଦନ ସାହୁ , ଜନ୍ମରୁ ଦୃଷ୍ଟିବାଧିତ । କେଉଁ ଜନ୍ମର କର୍ମଫଳ ବୋଧେ ବାଧକ ହେଲା ଯେ ଭଗବାନ୍ ଦୁଇ ଆଖିରେ ଆଲୋକ ଦେଲେନି । ହେଲେ କିଛି ଦେଇନାହାନ୍ତି ବୋଲି ବି କହିହେବନି । ତାଙ୍କ କୃପାରୁ ତ ପଙ୍ଗୁ ଗିରି ଲଂଘେ, ମୁକ ବି ବାଚାଳ ହୁଏ । ମଦନଙ୍କ ଆଖିକୁ ଦିଶୁନି ସିନା ହେଲେ ତାଙ୍କ କଣ୍ଠରୁ ପରା ମହାପ୍ରଭୁଙ୍କ ଗୁଣ , କୀର୍ତ୍ତି ଅନର୍ଗଳ ବାହାରୁଛି । ଶ୍ରୀଜଗନ୍ନାଥାଷ୍ଟକମ୍ରୁ ଆରମ୍ଭ କରି ଶ୍ରୀମଦ୍ ଭାଗବତ, ରାମାୟଣ, ହରିବଂଶ ପରି ମହାଗ୍ରସ୍ଥର ପଦାବଳୀ ସବୁକୁ ମୁଖସ୍ଥ କରିଛନ୍ତି। ତାଙ୍କ ପାଟିରୁ ବାହାରେ ଅନର୍ଗଳ ଶ୍ଳୋକ ।
ମଣିଷର ଭଗାରୀ ଏ ପେଟ ଚାଖଣ୍ଡକ ପାଇଁ ସକାଳ ହେଲେ ନିତ୍ୟକର୍ମ ସାରି ମଦନ ବାହାରି ଯଆନ୍ତି ଭିକ୍ଷା ବୃତ୍ତି ପାଇଁ । ତାଙ୍କୁ ଆଗେ ଆଗେ ବାଟେଇ ନିଅନ୍ତି ଧର୍ମପତ୍ନୀ । ଗାଁ ଗାଁ ବୋଲି ମହାପ୍ରଭୁଙ୍କ ଭଜନ ଜଣାଣ ବୋଲନ୍ତି ଆଉ ଯିଏ ଯାହା ଦେଲା ତାକୁ ନେଇ ଆସିଲେ ଘରେ ଚୁଲି ଲାଗେ । ଦିନସାରା ବୁଲି ବୁଲି ଥକିଯାଇଥିଲେ ବି ମଦନଙ୍କ ମନ କିନ୍ତୁ ବୁଝେନା । ଦୌଡ଼ିଯାଆନ୍ତି ଭାଗବତ ଘରକୁ ଭାଗବତ ଶୁଣିବାକୁ । ସେତିକି ନୁହେଁ କେଉଁଠି କିଛି ପ୍ରବଚନ କି ପାରାୟଣ ହେଲେ ସେଠିକି ମାଡ଼ିଯାଆନ୍ତି । ଏମିତି ଶୁଣିଶୁଣି ତାଙ୍କର ମୁଖସ୍ଥ ହୋଇଛି ଅନେକ ମହାପୁରାଣର ପଦାବଳୀ , ନିର୍ଭୁଲ ଭାବେ ଏସୁକୁ ଗାଛନ୍ତି ମଦନ ।
ଆହୁରି ପଢ଼ନ୍ତୁ... ବାରବାଟୀରେ ଧମାକା, ଚଣ୍ଡୀଗଡ଼ରେ ଫ୍ଲପ୍: ଦ୍ବିତୀୟ ଟି-୨୦ରେ ହାରିଲା ଭାରତ
ମଦନଙ୍କ ପାଟିରୁ ଶ୍ଳୋକ , ସ୍ତୋତ୍ର ଶୁଣିବା ପରେ ତାଙ୍କ ପ୍ରତି ଲୋକଙ୍କର ଶ୍ରଦ୍ଧା, ସହାନୁଭୁତି ବଢ଼ିଚାଲିଛି । କେଉଁଠାରେ କିଛି ଧାମିର୍କ କାମ ହେଲେ ତାଙ୍କୁ ଡକରା ପଡ଼େ । ସେଠାରେ ଭାଗବତ , ରାମାୟଣର ପଦାବଳୀ ଗାଇ ଲୋକଙ୍କୁ କୃତାର୍ଥ କରନ୍ତି । ଖୁସିରେ ତାଙ୍କୁ ଜଜମାନ କିଛି ଅର୍ଥ ଦେଇ ସମ୍ମାନୀତ କରନ୍ତି । ଏତିକିରେ ମଦନଙ୍କର ଅପାର ଖୁସି । ମଦନଙ୍କ କହିବା କଥା , ଭଗବାନଙ୍କ କୃପା ନହେଲେ ତାଙ୍କ କଥା ଗାଇବା କି କହିବା ଅସମ୍ଭବ । ତେଣୁ ନଦେଇ ନଦେଇ ତାଙ୍କୁ ବହୁତ କିଛି ଦେଇଛନ୍ତି ମହାପ୍ରଭୁ । ଲୀଳାମୟ ଠାକୁରଙ୍କ ଲୀଳାକୁ କିଏ ବିଝିଛି ଯେ, ସେ କାହାକୁ କିଭଳି କୃପା କରନ୍ତି ଅନୁଭବ କଲାବାଲା କରେ , ଏଇ ଯେମିତି ଦୃଷ୍ଟିବାଧିତ ମଦନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/12/blind-devotee-2025-12-12-13-03-51.jpg)