କନକ ବ୍ୟୁରୋ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭମେଳାରେ ବିସ୍ଫୋରଣ ଘଟାଇବାକୁ ଧମକ ମିଳିଛି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ଧମକ ମଳିବା ପରେ ପୁଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ‘ଏକ୍ସ’ରେ ପ୍ରକାଶିତ ପୋଷ୍ଟରେ ଦର୍ଶାଯାଇଛି ଯେ ଜାନୁଆରୀ ୧୩ ତାରିଖରେ ଏହି ବିସ୍ଫୋରଣ ଘଟାଯିବ । ଏହି ବିସ୍ଫୋରଣ ଦ୍ବାରା ପ୍ରାୟ୧ ହଜାର ଲୋକଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରାଯାଉଥିବା ଏହି ପୋଷ୍ଟରେ କୁହାଯାଇଛି ।
ଏହି ଧମକ ପରେ ବିଏନଏସର ଧାରା ୩୫୧(୨), ୩୫୨, ଆଇଟି ଆଇନ ୬୭ରେ ଅଭିଯୋଗ ରୁଜୁ କରାଯାଇଛି । କୁମ୍ଭମେଳା ଏସଏସପି ରାଜେଶ ଦ୍ବିବେଦୀ କହିଛନ୍ତି, ମଙ୍ଗଳବାର ଏହି ଧମକ ପୋଷ୍ଟ କରାଯାଇଛି । ବ୍ୟକ୍ତିଜଣକର ନାମ ନାସର ପଠାଣ ବୋଲି ଉଲ୍ଲେଖ ରହିଛି । ମେଳା ପୁଲିସ ଓ ସାଇବର ପୁଲିସର ଯୁଗ୍ମ ଟିମ୍ ଗଠନ କରାଯାଇଛି । ଏହି ଘଟଣାରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି । ଏହା ଆଧାରରେ ତଦନ୍ତ ଆଗକୁ ବଢ଼ିଛି ।