ନମାଜ ପାଠ ବେଳେ ଆତ୍ମଘାତୀ ବିସ୍ଫୋରଣ, : ୬୯ ମୃତ

Advertisment

ନମାଜ ପାଠ  ବେଳେ ମସଜିଦରେ ବିସ୍ଫୋରଣ । ପାକିସ୍ତାନ ଇସଲାମାବାଦର ଏକ ସିଆ ମସଜିଦ ଭିତରେ ଆତ୍ମଘାତୀ ବିସ୍ଫୋରଣ ଘଟି ୬୯ ଜଣ ପ୍ରାଣ ହରାଇଛନ୍ତି ।

ନମାଜ ପାଠ  ବେଳେ ମସଜିଦରେ ବିସ୍ଫୋରଣ । ପାକିସ୍ତାନ ଇସଲାମାବାଦର ଏକ ସିଆ ମସଜିଦ ଭିତରେ ଆତ୍ମଘାତୀ ବିସ୍ଫୋରଣ ଘଟି ୬୯ ଜଣ ପ୍ରାଣ ହରାଇଛନ୍ତି ।

PAKISTAN

Photograph: (KANAKNEWS)

କନକ ବ୍ୟୁରୋ : ପାକିସ୍ତାନର ରାଜଧାନୀ ଇସ୍‌ଲାମାବାଦ  ଆଜି ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣରେ ଥରି ଉଠିଛି। ଶୁକ୍ରବାରର ସାମୂହିକ ନମାଜ ସମୟରେ  ତରଲାଇ ଅଞ୍ଚଳରେ ଥିବା ସିଆ ମସ୍‌ଜିଦ୍‌ର ମୁଖ୍ୟ ଦ୍ୱାରରେ ଭୟାନକ ବିସ୍ଫୋରଣ ହୋଇଥିଲା। ଏଥିରେ ୬୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୬୯ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।  ପୁଲିସ ଓ ଉଦ୍ଧାର ଅଭିଯାନ ଅଧିକାରୀଙ୍କ ଅନୁଯାୟୀ, ଆତ୍ମଘାତୀ ଆକ୍ରମଣକାରୀକୁ ସୁରକ୍ଷା କର୍ମଚାରୀମାନେ ମୁଖ୍ୟ ଦ୍ୱାରରେ ଅଟକାଇବା ସମୟରେ ସେ ବିସ୍ଫୋରଣ ଘଟାଇଥିଲା ।  

ବିସ୍ଫୋରଣର ଶକ୍ତି ଏତେ ପ୍ରବଳ ଥିଲା ଯେ ମସ୍‌ଜିଦର କେତେକ ଅଂଶ  ଭୁଶୁଡ଼ି ପଡ଼ିଥିଲା। ଧ୍ୱଂସାବଶେଷ ତଳେ ଅନେକ ଲୋକ ଫସିଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ‘ନମାଜ ଚାଲିଥିବା ସମୟରେ ହଠାତ୍‌ ପ୍ରଚଣ୍ଡ ବିସ୍ଫୋରଣ ହେଲା ।  ଧୂଆଁ ଓ ଧୂଳିରେ ସବୁ ଅନ୍ଧାର ହୋଇଗଲା । ଲୋକମାନେ ଚିତ୍କାର କରି ଦୌଡ଼ୁଥିଲେ।   ଉଦ୍ଧାରକାରୀ ଦଳ ପହଞ୍ଚି ଧ୍ୱଂସାବଶେଷରୁ ଲୋକଙ୍କୁ ଉଦ୍ଧାର କରିଥିଲେ ଏବଂ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ।’ପାକିସ୍ତାନ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (ପିଆଇଏମ୍‌ଏସ୍‌) ସମେତ ନିକଟବର୍ତ୍ତୀ ହସ୍ପିଟାଲଗୁଡ଼ିକରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରାଯାଇଛି।

ଅଧିକାରୀମାନେ ନାଗରିକମାନଙ୍କୁ ବିସ୍ଫୋରଣ ସ୍ଥଳରେ ଭିଡ଼ ନକରି ରକ୍ତଦାନ କରିବାକୁ  ଅନୁରୋଧ କରିଛନ୍ତି। ପୁଲିସ ଏହାକୁ ସିଆ ସମୁଦାୟ ଉପରେ ଏକ ଟାର୍ଗେଟ୍‌ ଆକ୍ରମଣ ବୋଲି ବର୍ଣ୍ଣନା କରିଛି । ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ିଛି ଯେ ଆକ୍ରମଣକାରୀ ଜଣେ ବିଦେଶୀ ନାଗରିକ ଏବଂ ସେ ତେହରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି)ର ସଦସ୍ୟ। ତେବେ ଏପର୍ଯ୍ୟନ୍ତ କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହିଁ ।   ଆତଙ୍କବାଦ ବିରୋଧୀ ସ୍କ୍ବାଡ୍  ଏବଂ ଗୁଇନ୍ଦା ଏଜେନ୍ସିଗୁଡ଼ିକ ତଦନ୍ତ ଜାରି ରଖିଛନ୍ତି ଏବଂ ଫରେନସିକ୍ ଟିମ୍  ଘଟଣାସ୍ଥଳରେ ପ୍ରମାଣ ସଂଗ୍ରହ କରିଛନ୍ତି  ।

ଏହି ଘଟଣା ରାଜଧାନୀରେ ସାମ୍ପ୍ରତିକ ଆତଙ୍କବାଦୀ ଘଟଣାର ଏକ ଧାରାବାହିକ ଅଂଶ। କିଛି ମାସ ପୂର୍ବେ ଏକ ଜିଲ୍ଲାକୋର୍ଟ ବାହାରେ ହୋଇଥିବା ଆତ୍ମଘାତୀ ଧମାକାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ।  ଆଜିର ଆକ୍ରମଣ ପରେ ଇସ୍‌ଲାମାବାଦରେ ସର୍ବାଧିକ ସତର୍କତା ଜାରି କରାଯାଇଛି। ଧାର୍ମିକ ସ୍ଥଳ, ସର୍ବସାଧାରଣ ସ୍ଥାନ ଓ ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ସୁରକ୍ଷା ବୃଦ୍ଧି କରାଯାଇଛି ।   ସିଆ ସଂପ୍ରଦାୟର ନେତାମାନେ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି ଏବଂ ଏହାକୁ ଭୟ ଓ ବିଭାଜନ ସୃଷ୍ଟି କରିବାର ଏକ ପ୍ରୟାସ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe