କନକ ବ୍ୟୁରୋ: କୁହାଯାଏ ଓଡ଼ିଶାରେ ବାଘଙ୍କ ପାଇଁ ଭୂସ୍ବର୍ଗ ହେଉଛି ଶିମିଳିପାଳ ଅଭୟାରଣ୍ୟ। ହେଲେ ଏବେ ସେହି ବ୍ୟାଘ୍ର ଅଭୟାରଣ୍ୟରେ ବାଘ ଜୀବନ ବିପଦରେ। ଓଡ଼ିଶାର ସବୁଠୁ ଅଧିକ ବାଘ ଏହି ଅଭୟାରଣ୍ୟରେ ଅଛନ୍ତି। ବିଶେଷକରି ବିରଳ କଳା ବାଘ, ମୁଖ୍ୟ ଆକର୍ଷଣ। ହେଲେ ଏବେ ଶିକାରୀଙ୍କ ନଜର ଶିମିଳିପାଳ ଉପରେ। ବାଘ ଶିକାର କରି, ତା’ର ଚମଡ଼ା, ଦାନ୍ତ ଓ ନଖ କାଢ଼ି ନେଇଛନ୍ତି। 

Advertisment

ଶିମିଳିପାଳରେ ସକ୍ରିୟ ଥିବା ଶିକାରୀ କୋର ଏରିଆରେ ପହଞ୍ଚି କଳାବାଘକୁ ଗୁଳି କରି ହତ୍ୟା କରିଛନ୍ତି। ଯାହାଦ୍ୱାରା କି ଗୁଳି ମାଡରେ ଛଟପଟ ହୋଇ ଜଙ୍ଗଲରେ ଟଳି ପଡ଼ିଛି ବାଘ। ଏତିକି ନୁହେଁ, ଗୁଳି କରିବା ପରେ ଦେଢ଼ ବର୍ଷର ବାଘ ଛୁଆ ଶରୀରରୁ ଚମଡ଼ାକୁ ମଧ୍ୟ କାଢ଼ି ନେଇଛନ୍ତି ନୃଶଂସ ଶିକାରୀ। ଏଆଇ ଟ୍ରାପ କ୍ୟାମେରାରେ ଶିକାରୀଙ୍କ ମୁଭମେଣ୍ଟ କ୍ୟାପଚର ହେବା ପରେ ବନବିଭାଗର ସ୍ବତନ୍ତ୍ର ଫୋର୍ସ ଶିକାରୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। 

ତେବେ ବାଘ ଶିକାର ଖବର ସାମ୍ନାକୁ ଆସିବା ପରେ ଚିନ୍ତାରେ ବନ୍ୟପ୍ରାଣୀ ବିଶେଷଜ୍ଞ। କାରଣ ନିକଟରେ ମହାରାଷ୍ଟ୍ରରୁ ଦୁଇ ବାଘୁଣୀ ଜିନ୍ନତ ଓ ଯମୁନା ଶିମିଳିପାଳ ଆସିବା ପରେ, ବ୍ୟାଘ୍ର ବଂଶ ବୃଦ୍ଧି ନେଇ ଆଶା ଜନ୍ମିଥିଲା। ହେଲେ ଏବେ ସେମାନଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ତଦନ୍ତ କରି ଶିକାରୀଙ୍କୁ ଧରିଥିବାରୁ ବନବିଭାଗକୁ ସାଧୁବାଦ। କିନ୍ତୁ ବଡ଼ କଥା ହେଉଛି, ଯଦି ଶିମିଳିପାଳରେ ଶିକାରୀ ଏମିତି ନିର୍ଭୟରେ ଶିକାର କରିବେ, ତା ହେଲେ ଯମୁନା ଓ ଜିନ୍ନତଙ୍କ ଜୀବନ ବିପଦରେ ପଡ଼ିପାରେ। ଶିମିଳିପାଳ ଜଙ୍ଗଲକୁ ଜଏଣ୍ଟ ଟାସ୍କ ଫୋର୍ସ ଦିନରାତି ଜଗୁଥିଲେ ମଧ୍ୟ, ବେଧଡ଼କ ବୁଲୁଛନ୍ତି ଶିକାରୀ। ତେଣୁ ପ୍ରଶ୍ନ ଉଠୁଛି...

  • କାହିଁକି ଶିକାରୀଙ୍କ ଟାର୍ଗେଟରେ କଳାବାଘ?
  • କେତେ ସୁରକ୍ଷିତ ଆମ ଶିମିଳିପାଳ?
  • ବାଘଙ୍କୁ ବଞ୍ଚାଇବାରେ କାହିଁକି ବିଫଳ ବନ ବିଭାଗ?
  • କେବେ ଶିକାରୀ ମୁକ୍ତ ହେବ ଶିମିଳିପାଳ?
  • ଶିକାରୀଙ୍କ ଭିତରେ କାହିଁକି ରହୁନି ଭୟ?
  • ସରକାର ନେବେ କି କଠୋର କାର୍ଯ୍ୟାନୁଷ୍ଠାନ?

ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସରକାର ବାହାର ରାଜ୍ୟରୁ ଆହୁରି ବାଘ ଆଣିବାକୁ ଯୋଜନା କରୁଛନ୍ତି। ହେଲେ ଶିକାରୀ ଯଦି ଏଭଳି ଶିକାର କରିଚାଲିବେ, ତାହେଲେ ବାଘ ତ ସୁରକ୍ଷିତ ରହିବେନି ବରଂ ଯୋଜନା ମଧ୍ୟ ବନ୍ଦ ହେବାର ଆଶଙ୍କା ଉପୁଜିଛି।