କନକ ବ୍ୟୁରୋ : ଆତଙ୍କବାଦୀମାନେ କେତେବେଳେ କ'ଣ କରୁଛନ୍ତି ତା ନା ଗୁଇନ୍ଦା ବିଭାଗକୁ ସୂଚନା ମିଳୁଛି, ନା ସେନାକୁ । କେତେବେଳେ ହତ୍ୟା ତ କେତେବେଳେ ଆତଙ୍କ । ହେଲେ ଏବେ ପାକିସ୍ତାନରେ ଆତଙ୍କବାଦୀମାନେ ଯାହା କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି । ପାକିସ୍ତାନରେ ଆତଙ୍କାବାଦୀମାନେ ପୁରା ଟ୍ରେନକୁ ଅପହରଣ କରିନେଇଛନ୍ତି । ବେଲୁଚ ଲିବରେସନ ଆର୍ମି ଦାବି କରିଛି କି, ସେମାନଙ୍କ ସଂଗଠନ ବୋଲନ ଠାରୁ ଜାଫର ଏକ୍ସପ୍ରେସକୁ ଅପହରଣ କରିନେଇଛନ୍ତି । ଏହି ଟ୍ରେନରେ ୧୦୦ ରୁ ଅଧିକ ଯାତ୍ରୀ ରହିଥିଲେ । ସେମାନଙ୍କୁ ଏବେ ଆତଙ୍କୀ ସଂଗଠନ ବନ୍ଧକ ରଖିଛି । ଏହାସହ ଆତଙ୍କୀ ସଂଗଠନ ଚେତାବନୀ ଦେଇଛି କି, ସରକାର ଯଦି ଏହି ସଂଗଠନ ବିରୋଧରେ ସେନା ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେଷ୍ଟା କରେ ତେବେ ବନ୍ଧକ ଥିବା ସମସ୍ତ ଯାତ୍ରୀଙ୍କୁ ହତ୍ୟା କରାଯିବ । ସୂଚନା ମୁତାବକ ଏପର୍ଯ୍ୟନ୍ତ ବନ୍ଧକ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସେନାର ଯବାନଙ୍କ ମଧ୍ୟରୁ ୬ ଜଣଙ୍କୁ ଆତଙ୍କୀ ସଂଗଠନ ହତ୍ୟା କରିଛି ।