କନକ ବ୍ୟୁରୋ : ଚାଷୀ ନେତା ରାକେଶ ଟିକାୟତଙ୍କ ବୁଧବାର ଦିନ ଆଲିଗଡ ପୋଲିସ ଗିରଫ କରିଛି । ରାକେଶ ଟିକାୟତଙ୍କୁ ପୋଲିସ ଜମୁନା ଏକ୍ସପ୍ରେସରୁ ଉଠାଇ ନେଇଛି । ଏବେ ତାଙ୍କୁ ଟପ୍ପଲ ଥାନାରେ ଅଟକ ରଖାଯାଇଛି । ରାକେଶ ଟିକାୟତଙ୍କୁ ଗିରଫ ପରେ ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 

Advertisment

ଗିରଫ ହେବା ପରେ ଗଣମାଧ୍ୟମକୁ ଟିକାୟତ କହିଛନ୍ତି କି, ମୋତେ ଜଣାନାହିଁ ପୋଲିସ କାହିଁକି ମୋତେ ଗିରଫ କରିଛି । ଯଦି କୃଷକଙ୍କ ସମସ୍ୟାର ସମାଧାନ ନହୁଏ ତେବେ ଟପ୍ପଲରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଟ୍ରାକ୍ଟର ମାର୍ଚ୍ଚ ହେବ ବୋଲି ଟିକାୟତ ଚେତାବନୀ ଦେଇଛନ୍ତି । ଟିକାୟତ କହିଛନ୍ତି କି, ସରକାର ସହ ମିଳିତ ଭାବେ ପ୍ରଶାସନ ଶ୍ରମିକ, ଗରିବ, ଚାଷୀ ଓ ଆଦିବାସୀଙ୍କ ସ୍ୱର ଚାପିଦେବାକୁ ଚେଷ୍ଟା କରୁଛି । ହେଲେ ଚାଷୀ ଯେତେବେଳେ ଉଗ୍ରରୂପ ନେବ ସେତବେଳେ ନା ସରକାର ନା ପ୍ରଶାସନ କେହି ବି ଆନ୍ଦୋଳନକୁ ଚାପି ପାରିବେ ନାହିଁ । 

କହିରଖୁ କି କେନ୍ଦ୍ର ସରକାର ପୂର୍ବ ଚାଷୀ ଆନ୍ଦୋଳନ ବେଳେ ଏମଏସପି ଗ୍ୟାରେଣ୍ଟି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦୀର୍ଘବର୍ଷ ବିତିଯାଇଥିଲେ ବି ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି । ଏମଏସପି ଓ ଅନ୍ୟାନ୍ୟ ଦାବି ନେଇ ପୁଣିଥିରେ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।