କନକ ବ୍ୟୁରୋ: ମୋଦୀଙ୍କ ଗୁରୁମନ୍ତ୍ର ପରେ ବିଜେପି ଶିବିରରେ ଉତ୍ସାହ। ସଙ୍ଗଠନ ଓ ସରକାରର ଦୀର୍ଘସ୍ଥାୟୀ ପାଇଁ ମୋଦୀ ଯେଉଁ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ତାହା ରାଜ୍ୟ ନେତୃତ୍ବଙ୍କ ପାଇଁ ବଡ ଟାସ୍କ। ସାଙ୍ଗଠନିକ କର୍ମଶାଳାରେ ଏହାର ରୂପରେଖ ପ୍ରସ୍ତୁତ ହୋଇଥିବା ବେଳେ ତୃଳମୂଳସ୍ତରରେ ଦଳ ଆହୁରି କିଭଳି କ୍ରିୟାଶୀଳ ହେବ ତାହା ଉପରେ ଦିଆଯାଇଛି ଗୁରୁତ୍ୱ।
୨୦୨୪ରେ ପ୍ରଥମଥର ପାଇଁ ଓଡ଼ିଶାରେ ସରକାରକୁ ଆସିଥିବା ବିଜେପି ୨୦୩୬ ପାଇଁ ଭିଜନ ରଖି ଆଗକୁ ବଢୁଛି। ସ୍ବତନ୍ତ୍ର ଓଡ଼ିଶା ଗଠନର ଶତବାର୍ଷିକୀ ପୂର୍ତ୍ତି ବେଳକୁ ରାଜ୍ୟ ଯେପରି ଦେଶରେ ଏକ ନମ୍ବର ହେବ ସେଥିପାଇଁ ନକ୍ସା ଆଙ୍କୁଛନ୍ତି ବିଜେପିର ଶୀର୍ଷ ନେତୃତ୍ବ। ଏହାସହ ଦଳ ଯେପରି ତୃତୀୟରୁ ଏକ ନମ୍ବର ସ୍ଥାନକୁ ଆସିଛି ତାହାକୁ ବଜାୟ ରଖିବାକୁ ସାଙ୍ଗଠନିକ କର୍ମଶାଳାରେ ରୂପରେଖ ପ୍ରସ୍ତୁତ ହୋଇଛି। ଏଥିପାଇଁ ବୁଥ୍ ସ୍ତରରୁ ସଙ୍ଗଠନକୁ ସଶକ୍ତ କରିବାକୁ ଦଳୀୟ ନେତାଙ୍କୁ ଦାୟିତ୍ବ ଦିଆଯାଇଛି। ମୋଦୀଙ୍କ ମନ୍ତ୍ରଙ୍କୁ ଆଧାର କରି କଥା କମ, କାମ ଉପରେ ଅଧିକ ଧ୍ୟାନ ଦେବାକୁ କର୍ମୀ ଓ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦଳର ବରିଷ୍ଠ ନେତା।
ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଅଢେଇ ଘଣ୍ଟାରୁ ଅଧିକ ସମୟ ଧରି ସାଂସଦ, ବିଧାୟକ ଓ ଦଳୀୟ ନେତୃତ୍ବଙ୍କ ସହ ୱାନ-ଟୁ-ୱାନ ଆଲୋଚନା କରିଛନ୍ତି ମୋଦୀ। ଅତି ସାଧାରଣ ଜୀବନ ବିତାଇବା ସହ ଦେଇ ରାଷ୍ଟ୍ର ଓ ସମାଜ ପାଇଁ ସମର୍ପିତ ହେବାକୁ ପରାମର୍ଶ ଦେଇଛନ୍ତି ମୋଦୀ। ସମ୍ପତ୍ତି ବଢାଇବା, ସମାଲୋଚନା କରିବା ବଦଳରେ ନୂଆ ସରକାର କିଭଳି ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବ ସେଥିପାଇଁ ଗୁଣ୍ଡୁଚି ମୂଷା ଭାବେ ଭୂମିକା ତୁଲାଇବାକୁ କହିଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଆପଣାଇବା ସହ ୨୦୩୬ର ବିକଶିତ ଓଡ଼ିଶା ମିଶନକୁ ଆଗେଇ ନେବାକୁ ସାମ୍ନାକୁ ଆସିଛନ୍ତି ଦଳୀୟ ନେତା।
ଶାସନର ସୁଯୋଗ ମିଳିଛି, ଦାୟିତ୍ୱ ବି ବଢିଛି। ଏବେ ଓଡ଼ିଶାକୁ ଆଗକୁ ନେବାର ସମୟ । ସ୍ୱପ୍ନ ଓ ଆହ୍ୱାନ ଭିତରେ ବିଜେପି ୨୦୩୬ ପାଇଁ ନେଇଥିବା ସଂକଳ୍ପ କେତେଦୂର ସଫଳ ହେବ ତାହା ଉପରେ ରହିବ ନଜର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2024/11/30/ehSgAVoe1MUJFhTSZBWG.jpg)