କନକ ବ୍ୟୁରୋ: ତାମିଲନାଡୁରେ କଣ ସତରେ ସତ୍ତାର ପରିବର୍ତ୍ତନ ହେବ? କ୍ଷମତାରୁ ଡିଏମକେ ହଟିବା ସହ ଏନଡିଏ କ୍ଷମତା ଅକ୍ତିଆର କରିବ? ଏ ଚର୍ଚ୍ଚା ଏଥିପାଇଁ ଜୋର ଧରିଛି, କାହିଁକି ନା ଲଗାତାର ତାମିଲନାଡୁରେ ସତ୍ତାର ପଟ୍ଟ ପରିବର୍ତ୍ତନ ହେବା ନେଇ ଭବିଷ୍ୟବାଣୀ କରିବାରେ ଲାଗିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ । ଏମିତି କି ସେ ଦିଲ୍ଲୀରେ ରହୁଥିଲେ ବି, ତାଙ୍କ କାନ କୁଆଡ଼େ ତାମିଲନାଡୁରେ ଅଛି ବୋଲି କହିଛନ୍ତି ଅମିତ ଶାହ । ଯାହାକି ଦିଲ୍ଲୀ ସହିତ ତାମିଲନାଡୁର ରାଜନୀତିକୁ ସରଗରମ କରିଛି ।
ଆପଣମାନେ ଜାଣିଥିବେ ଯେ, ୨୦୨୬ରେ ବିଧାନସଭା ନିର୍ବାଚନ ଦେଖିବ ତାମିଲନାଡୁ । ଯେଉଁଥିପାଇଁ ଏବେଠୁ ସମରସଜ୍ଜା ଆରମ୍ଭ କରିଦେଲାଣି ଭାରତୀୟ ଜନତା ପାର୍ଟି । ଲଗାତାର ସେଠାରେ ବିଜେପି କର୍ମୀମାନଙ୍କର ବୈଠକ ବସୁଥିବାବେଳେ, କେନ୍ଦ୍ରୀୟ ନେତାଙ୍କ ଫୋକସରେ ମଧ୍ୟ ରହିଛି ଏହି ରାଜ୍ୟ । ଗତ ରବିବାର ମଧ୍ୟ ଅମିତ ଶାହ ତାମିଲନାଡୁରେ ଏକ ଜନସଭାକୁ ଉଦବୋଧନ ଦେଇ, ସେଠାକାର ଷ୍ଟାଲିନ୍ ସରକାର ଉପରେ ବର୍ଷିଛନ୍ତି । ରବିବାର ଅମିତ ଶାହ ତାମିଲନାଡୁର ଷ୍ଟାଲିନ୍ ସରକାର ଉପରେ ଗମ୍ଭୀର ଆରୋପ ଲଗାଇବା ସହିତ ଗତ ୪ ବର୍ଷ ଭିତରେ ଡିଏମକେ ସରକାର ଭ୍ରଷ୍ଟାଚାରର ସବୁ ସୀମା ଟପିଯାଇଛି ବୋଲି କହିଛନ୍ତି ଶାହ । ଏହାସହ କେନ୍ଦ୍ର ସରକାର ଦେଇଥିବା ୪୫୦ କୋଟିର ପୋଷଣ କିଟରେ ମଧ୍ୟ ତାମିଲନାଡୁ ସରକାର ବଡ଼ ଘୋଟାଲା କରିଥିବା କହିଛନ୍ତି ଶାହ । ତେବେ ଏ ସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତାମିଲନାଡୁକୁ କାହିଁକି ଏତେ ଫୋକସ୍ କରୁଛି ବିଜେପି? କାହିଁକି ବିଜେପି ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ତାମିଲନାଡୁ?
ଦକ୍ଷିଣ ଭାରତର ଏକ ପ୍ରମୁଖ ରାଜ୍ୟ ହେଉଛି ତାମିଲନାଡୁ । ଯେଉଁଠି ସତ୍ତା ଦଖଲ କରିବା ପାଇଁ ବିଜେପି ପାଇଁ ଏପର୍ଯ୍ୟନ୍ତ ସ୍ୱପ୍ନ ହୋଇ ରହିଛି । ଅନେକ ସମୟରେ ସେଠାରେ ମେଣ୍ଟ ଗଠନ କରି ବିଜେପି ସରକାରରେ ଥିଲେ ମଧ୍ୟ, ସେତେଟା ସଫଳତା ପାଇପାରିନି । ଅନ୍ୟପଟେ ସେଠାରେ ସରକାରରେ ଥିବା ଡିଏମକେ, ଅନେକ ସମୟରେ କଂଗ୍ରେସକୁ ସମର୍ଥନ ଦେଇଆସୁଛି । ତେଣୁ ଯେନତେନ ପ୍ରକାରେ ଡିଏମକକୁ ସତ୍ତାରୁ ହଟାଇବାକୁ ଅଙ୍କ କଷୁଛି ବିଜେପି । ଏହି କ୍ରମରେ ବିଜେପି, ଏଆଇଏଡିଏମକେ ସହିତ ମେଣ୍ଟ ମଧ୍ୟ ଗଠନ କରିଛି ।
ଏଆଇଏଡିଏମକେ ସହ ହାତ ମିଳାଇଛି ବିଜେପି
ଗତ ୪ ଦଶନ୍ଧିରୁ ଅଧିକ ଧରି ତାମିଲନାଡୁ ରାଜନୀତି ପ୍ରାୟତଃ ଦୁଇଟି ଦଳ ଭିତରେ ସୀମିତ ରହିଛି । ଗୋଟିଏ ପଟେ ଡିଏମକେ ଏବଂ ଅନ୍ୟପଟେ ଏଆଇଏଡିଏମକେ । ତେଣୁ ଏଥର ଡିଏମକକୁ ସତ୍ତାରୁ ବେଦଖଲ କରିବା ପାଇଁ ଏଆଇଏଡିଏମକେ ସହିତ ହାତ ମିଳାଇଛି ବିଜେପି । ଗତ ୨୦୨୩ ମସିହାରେ ଏହି ମେଣ୍ଟ ଭାଙ୍ଗିଯାଇଥିଲେ ବି, ଏଥର ନିର୍ବାଚନକୁ ଆଖି ଆଗରେ ରଖି ପୁଣିଥରେ ଏକାଠି ହୋଇଛନ୍ତି ଏହି ଦୁଇ ପାର୍ଟି । ଏହା ପଛର କାରଣ ହେଉଛି, ତାମିଲନାଡୁର ଗ୍ରାମୀଣ ଏବଂ ଦକ୍ଷିଣ ଅଂଶରେ ଏଆଇଏଡିଏମକେର ଭୋଟ୍ ପ୍ରତିଶତ ଅଧିକ ରହିଛି । ତେଣୁ ଏହି ଭୋଟ୍ ବ୍ୟାଙ୍କକୁ ସାଥୀରେ ଧରି, ଆଗାମୀ ନିର୍ବାଚନକୁ ଜିତିବାକୁ ଅଙ୍କ କଷୁଛି ବିଜେପି ।
ମେଣ୍ଟ ଦେବ କି ବିଜେପିକୁ ଫାଇଦା?
ଏଥର ତାମିଲନାଡୁରେ ସିଧା ସିଧା ବିଜେପି ଏବଂ ଏଆଇଏଡିଏମକେ ମେଣ୍ଟ ସହିତ ଡିଏମକେ ଏବଂ କଂଗ୍ରେସର ମେଣ୍ଟ ମୁହାଁମୁହିଁ ହେବେ । ଚର୍ଚ୍ଚା ହେଉଛି, ଏଆଇଏଡିଏମକେ ସହିତ ବିଜେପିର ମେଣ୍ଟ ଗେରୁଆ ଦଳକୁ ଫାଇଦାରେ ରଖିବ । ଏଆଇଏଡିଏମକେର ଗ୍ରାମୀଣ ଅଞ୍ଚଳ, ଦକ୍ଷିଣ ଅଞ୍ଚଳ ଏବଂ ପଶ୍ଚିମ ତାମିଲନାଡୁରେ ଭଲ ଭୋଟ୍ ପ୍ରତିଶତ ରହିଛି । ଅନ୍ୟପଟେ ବିଜେପି ଯଦି ସହରୀ ଭୋଟର ଏବଂ ଅନ୍ୟ କିଛି ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ସକ୍ଷମ ହେବ, ତେବେ ଡିଏମକେକୁ ମାତ୍ ଦେବା ଏହି ମେଣ୍ଟ ପାଇଁ ସହଜସାଧ୍ୟ ହୋଇଯିବ ।
ଭୋଟ୍ ପ୍ରତିଶତକୁ ଲକ୍ଷ୍ୟ କଲେ ଜଣାପଡୁଛି ଯେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ୧୧.୨୪ ପ୍ରତିଶତ ଭୋଟ୍ ମିଳିଥିବାବେଳେ, ଏଆଇଏଡିଏମକୁ ୨୦.୪୬ ପ୍ରତିଶତ ଭୋଟ୍ ମିଳିଥିଲା । ଅର୍ଥାତ ଦୁଇ ଦଳକୁ ମୋଟ ୩୧.୭ ପ୍ରତିଶତ ଭୋଟ୍ ମିଳିଥିଲା । ଅନ୍ୟପଟେ ଡିଏମକେକୁ ମିଳିଥିଲା ୨୬.୯୩ ପ୍ରତିଶତ । ତେଣୁ ବିଜେପି ଏବଂ ଏଆଇଏଡିଏମକେ ଯଦି ଏକାଠି ହୁଅନ୍ତି, ତେବେ ଡିଏମକେକୁ ମାତ୍ ଦେବାରେ ଏହି ମେଣ୍ଟ ସକ୍ଷମ ହୋଇପାରିବ ।
ତାମିଲନାଡୁରେ ସରକାର ବିରୋଧୀ ହାଓ୍ୱା
ତାମିଲନାଡୁରେ ୨୦୨୧ରୁ ଡିଏମକେ ସତ୍ତାରେ ରହିଛି । ଆଉ ଏଠାରେ ଏମକେ ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଅନେକ ସମୟରେ ବିଭିନ୍ନ ମୁଦ୍ଦାକୁ ନେଇ ତାମିଲନାଡୁରେ ବିକ୍ଷୋଭ ଦେଖିବାକୁ ମିଳିଛି । ତେୁଣୁ କହିବାକୁ ଗଲେ, ଆଗାମୀ ବିଧାନସଭା ନିର୍ବାଚନରେ ଡିଏମକେ ସରକାର ବିରୋଧୀ ହାଓ୍ୱାକୁ ସାମ୍ନା କରିବ । ଅନ୍ୟପଟେ ଭ୍ରଷ୍ଟାଚାରର ଅଭିଯୋଗ ମଧ୍ୟ ଡିଏମକେ ଉପରେ ଲଗାଇ ଆସୁଛି ବିଜେପି, ଯାହାକି ଡିଏମକେକୁ ବ୍ୟାକଫୁଟରେ ରଖିପାରେ । ଏହାସହ ପରିବାରବାଦ ପ୍ରସଙ୍ଗ ମଧ୍ୟ ଡିଏମକେକୁ ଅଡୁଆରେ ପକାଇପାରେ ।
ବିଜେପି ବଢ଼ାଉଛି ବଳ
କୁହାଯାଏ ସଙ୍ଗଠନ ସଜାଡ଼ିବାରେ ବିଜେପି ସବୁ ଦଳଠୁ ଆଗରେ ରହିଥାଏ । ଏହି କ୍ରମରେ ତାମିଲନାଡୁରେ ମଧ୍ୟ ବିଜେପି ନିଜର ବଳକୁ ବଢ଼ାଇବା ଆରମ୍ଭ କରିସାରିଛି । ଯେଉଁ କାରଣରୁ ଗତ ଲୋକସଭା ନିର୍ବାଚନରେ ଦଳ ୧୧.୪ ପ୍ରତିଶତ ଭୋଟ ହାସଲ କରିବାରେ ସକ୍ଷମ ହୋଇପାରିଥିଲା । ୨୦୧୯ରେ ସେଠାରେ ବିଜେପିକୁ କେବଳ ୩.୬୬ ପ୍ରତିଶତ ଭୋଟ୍ ମିଳିଥିଲା, ହେଲେ ୨୦୨୪ରେ କିନ୍ତୁ ଏହି ସଂଖ୍ୟା ୧୧.୪ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାସହ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିର ଭୋଟ୍ ପ୍ରତିଶତ ବୃଦ୍ଧି ପାଇଛି । ଯେଉଁ କାରଣରୁ ୨୦୨୬ରେ ଦଳ ସେଠାରେ ସତ୍ତା ପରିବର୍ତ୍ତନ ହେବା ନେଇ ସ୍ୱପ୍ନ ଦେଖୁଛି ।