କନକ ବ୍ୟୁରୋ: ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ ସଂଗଠନ ସଜାଡିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ସମୟ ଗଡି ଚାଲିଛି। ନା ରାଜ୍ୟ ବିଜେପିର ନୂଆ ସଭାପତି ଚୟନ ହୋଇପାରୁଛନ୍ତି ନା ଜିଲ୍ଲା ସଭାପତିଙ୍କ ନା ଘୋଷଣା। କଣ୍ଟ ସରି ଯାଇଥିଲେ ବି ଏଯାଏଁ ଘୋଷଣା ହୋଇପାରିନି କୌଣସି ନାଁ। ଦଳୀୟ ସଙ୍ଗଠନ ଘୋଷଣା ହୋଇପାରୁନଥିବାରୁ ଏକପ୍ରକାର ସରକାରୀ ବ୍ୟବସ୍ଥା ଅଟକିଯାଇଛି ବୋଲି କୁହାଯାଉଛି।  

Advertisment
  • ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇପାରୁନାହିଁ
  • ନିଗମ ଓ ବୋର୍ଡ ପଦ  ଖାଲିପଡିଛି
  • ସରକାରୀ ଓକିଲ ବି ନିଯୁକ୍ତ କରିପାରୁନାହାନ୍ତି ସରକାର

ବିଜେପିର ନେତା ଓ କର୍ମୀ ଚାହିଁବସିଛନ୍ତି ସାଙ୍ଗଠନିକ ନିର୍ବାଚନ କେବେ ସରିବ ଓ  ସରକାରଙ୍କ କାମ ଆଗକୁ ବଢିବ । କୁହାଯାଉଛି, ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତିଙ୍କ ନାଁ ଏକପ୍ରକାର ଚୂଡାନ୍ତ ହୋଇସାରିଛି। କିନ୍ତୁ  ଦଳ ଭିତରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଏହା ଅଟକି ଯାଇଛି । ଜିଲ୍ଲା ସଭାପତି ଘୋଷଣା ହେବା ପରେ ହିଁ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ । ସଭାପତି ଅନିଶ୍ଚିତତା କାରଣରୁ ସରକାର ସହ ସଙ୍ଗଠନ ବି ମନ୍ଥର ହୋଇଯାଇଛି । ୬ ମାସର ସରକାରରେ ସମନ୍ବୟର ବି ଅଭାବ ରହୁଛି । ସରକାରୀ କାର୍ଯ୍ୟକ୍ରମ ବି ବିଳମ୍ବିତ ହେଉଛି ।

ମୋହନ ମାଝି ସରକାରରେ ଏବେ ୬ ମନ୍ତ୍ରୀ ପଦ ଖାଲିପଡିଛି ।  ୩୦ରୁ ଅଧିକ ବୋର୍ଡ ଓ ନିଗମ ପଦ ସହ ଶତାଧିକ ପଦପଦବୀ ଘୋଷଣା ହୋଇପାରୁନାହିଁ । ତେଣୁ ସଙ୍ଗଠନର ପୁନଃବିନ୍ୟାସ ହେଲେ ହିଁ ସରକାର ଗତିଶୀଳ ହେବ ବୋଲି ଆଲୋଚନା ହେଉଛି ।