କନକ ବ୍ୟୁରୋ : ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀ କ୍ଷମତାକୁ ଫେରିଛି । ଆଉ ବିକଳ୍ପ ରାଜନୀତିର ନାରା ଦେଇ ୧୦ ବର୍ଷ ହେବ ସରକାର ଚଳାଇଥିବା ଆମ୍ ଆଦମୀ ପାର୍ଟିର ପରାଜୟ ହୋଇଛି । ବିଜେପିର ବିଜୟକୁ ନେଇ ବୈଜୟନ୍ତ କହିଛନ୍ତି କି, ଦିଲ୍ଲୀରେ କଂଗ୍ରେସ ୧୫ ବର୍ଷ ଓ ଆପକୁ ୧୦ ବର୍ଷ କ୍ଷମତା ଦେଇଥିଲେ । ହେଲେ ଉଭୟ କଂଗ୍ରେସ ଓ ଆପ୍ ଦିଲ୍ଲୀବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ । ଯାହାର ପରିଣାମ ୧୦ ବର୍ଷ ତଳେ କଂଗ୍ରେସକୁ ଭୋଗିବାକୁ ପଡିଥିଲା ଓ ଆଜି ଆମ୍ ଆଦମୀ ପାର୍ଟିକୁ ଭୋଗିବାକୁ ପଡିଛି । ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା । ଧର୍ମ ଆଧାରରେ, ଜାତି ଆଧାରରେ ଓ ବର୍ଗ ଆଧାରରେ ଦଳ ହଜାର ହଜାର ବୈଠକ କରିଛି । ଦଳ ଦିଲ୍ଲୀର ପ୍ରତିଟି ଭୋଟରଙ୍କ ପାଖରେ ପହଂଚି ସେମାନଙ୍କ ସୁବିଧା ଅସୁବିଧା ବୁଝିଛି । ଏହାସହ ସେ କହିଛନ୍ତି କି, ବିଜେପିର ବିଜୟ ପଛରେ କେବଳ ମୋଦୀଜୀଙ୍କ ଗ୍ୟାରେଣ୍ଟି ରହିଛି । ମୋଦୀଙ୍କ ବିକାଶ ମଡେଲକୁ ଭରସା କରିଛନ୍ତି ଦିଲ୍ଲୀବାସୀ । ସେପଟେ ଦିଲ୍ଲୀରେ ବିଜେପି ସରକାର ଗଠନ କଲେ କ'ଣ କରିବ ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି, ସରକାର ଗଠନ ହେଲେ ପ୍ରଥମ କ୍ୟାବିନେଟ ବୈଠକରେ ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟରୁ ଅଧିକାଂଶ ପ୍ରତିଶ୍ରୁତି ନେଇ କାମ ଆରମ୍ଭ କରିବ ।