କନକ ବ୍ୟୁରୋ: ମୋଦୀ ଶାହାଙ୍କ ରଣନୀତିକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । କୁହାଯାଏ, ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜେପିର ବିଜୟ ବାନା ଉଡେଇବାକୁ, ଏହି ଯୋଡି ସବୁବେଳେ ରାଜନୀତିର ଅଙ୍କ କଷୁଥାନ୍ତି । ଆଉ ଏହାରି ଭିତରେ ତାମିଲନାଡୁରେ ଏବେ ବିଜେପି ଆରମ୍ଭ କରିଛି ଗୋଟିଏ ବଡ଼ ଗେମ୍ । ଦକ୍ଷିଣ ଭାରତର ଏହି ରାଜ୍ୟରେ ବିଜେପି ନିଜର ବିଜୟ ବାନା ଉଡେଇବାକୁ ଆରମ୍ଭ କରିଛି ଗୋଟିଏ ବଡ଼ ରାଜନୈତିକ ଗୋଟିଚାଳନା । କୁହାଯାଉଛି, ତାମିଲନାଡୁରେ ଏକାଠି ହେବାକୁ ଯାଉଛନ୍ତି ଏଆଇଏଡିଏମକେ ଆଉ ବିଜେପି । ଏହି ଦୁଇ ଦଳ ମିଶି- ଡିଏମକେକୁ ମାତ୍ ଦେବାକୁ ମେଣ୍ଟ ଗଠନ କରିବେ । ଆଉ ଆଗାମୀ ବିଧାନସଭା ନିର୍ବାଚନରେ ସାଙ୍ଗ ହେଇ ଲଢିବେ ।
ତାମିଲନାଡୁରେ ବିଜେପିର ସବୁଠୁ ବଡ଼ ଚେହେରା ହେଉଛନ୍ତି କେ ଅନ୍ନାମଲାଇ । ଆଇପିଏସ୍ ଅଫିସରରୁ ବିଜେପିର ନେତା ପାଲଟିଥିବା ଅନ୍ନାମଲାଇ, କିନ୍ତୁ ଏହି ମେଣ୍ଟ ଦ୍ୱାରା ସବୁଠୁ ଅଧିକ କ୍ଷତି ସହିବେ । କୁହାଯାଉଛି, ଖୁବଶୀଘ୍ର ଅନ୍ନାମଲାଇଙ୍କୁ ହଟେଇ, ଜଣେ ନୂଆ ନେତାଙ୍କୁ ତାମିଲନାଡୁର ଦାୟିତ୍ବ ଦେଇପାରନ୍ତି ମୋଦୀ ଶାହା । କାହିଁକି, ନା ଅନ୍ନାମଲାଇ ରହୁ ରହୁ, ବିଜେପି କଦାପି ଏଆଇଏଡିଏମକେ ସହ ମେଣ୍ଟ କରିବା ସମ୍ଭବ ନୁହେଁ ।
ଅନ୍ନାମଲ୍ଲାଇ ଅନେକ ସମୟରେ ଏଆଇଏଡିଏମକେ ବିରୋଧ କରିଆସିଛନ୍ତି । ଯେଉଁ କାରଣରୁ ସେ ବିଜେପିର ସଭାପତି ରହିଲେ, ଏଆଇଏଡିଏମକେ ମେଣ୍ଟ କରିବା ଏକପ୍ରକାର ଅସମ୍ଭବ । ତେଣୁ ଅନ୍ନାମଲାଇଙ୍କୁ ଜାତିଗତ ସନ୍ତୁଳନର ଦ୍ୱାହି ଦେଇ, ପଦରୁ ବିଦା କରିପାରେ ବିଜେପି । ଏହାପରେ, ଦଳ ନୂଆ ନେତାଙ୍କୁ ଦାୟିତ୍ବ ଦେବା ସହ ଏଆଇଏଡିଏମକେର ହାତ ଧରିପାରେ ।
କିଛି ଦିନ ତଳେ ଏଆଇଏଡିଏମକେର ନେତା କେ ପଲ୍ଲାନିସ୍ୱାମୀ, ବିଜେପି ଚାଣକ୍ୟ ଅମିତ ଶାହାଙ୍କୁ ଭେଟିବା ସହ, ତାଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା କରିଥିଲେ । ଯାହାପରେ, ଏହି ଦୁଇ ଦଳ ଭିତରେ ମେଣ୍ଟ ହେବା ଚର୍ଚ୍ଚା ଜୋର ଧରିଥିଲା । କାହିଁକି ନା, ତାମିଲନାଡୁରେ ବିଜେପି, ଡିଏମକେ କୁ ସବୁବେଳେ ବିରୋଧ କରି ଆସୁଛି । ତେଣୁ ଡିଏମକେ କୁ ଚକମା ଦେବାକୁ, ଏବେ ଏଆଇଏଡିଏମକେର ହାତ ଧରିପାରେ ବିଜେପି ।
ଏହାପୂର୍ବରୁ ମଧ୍ୟ ଏଆଇଏଡିଏମକେ ଆଉ ବିଜେପି ଏକାଠି ହେଇ ନିର୍ବାଚନ ଲଢିସାରିଛନ୍ତି । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଆଉ ବିଜେପି ବିରୋଧୀ ରହିଆସିଥିବା ଏଆଇଏଡିଏମକେ, ୨୦୧୬ ମସିହାରେ ଜୟଲଳିତାଙ୍କ ଦେହାନ୍ତ ସହ ୨୦୧୯ ଲୋକସଭା ନିର୍ବାଚନରେ ଏହି ଦୁଇ ଦଳ ଏକାଠି ହେଇଥିଲେ । ହେଲେ ନିର୍ବାଚନରେ କିନ୍ତୁ ଏହି ମେଣ୍ଟକୁ ସେତେଟା ସଫଳତା ମିଳିନଥିଲା । ଏହାପରେ ବିଧାନସଭା ନିର୍ବାଚନରେ ମଧ୍ୟ ଏଆଇଏଡିଏମକେକୁ ସେତେଟା ସିଟ୍ ନମିଳିବା ପରେ, ଏବେ ବିଜେପିର ହାତ ଧରି, ସତ୍ତାକୁ ଫେରିବାକୁ ଲକ୍ଷ୍ୟ ରଖିଛି ଏଆଇଏଡିଏମକେ । ଅନ୍ୟପଟେ ବିଜେପି ବି, ଏଆଇଏଡିଏମକେ ସହ ମିଶି, ତାମିଲନାଡୁ ଦଖଲ କରିବାକୁ ସ୍ୱପ୍ନ ଦେଖିବା ଆରମ୍ଭ କରିଛି ।