କନକ ବ୍ୟୁରୋ: ବିଜେପି କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା ଅଭିଯୋଗ ପରେ ମାମଲା ରୁଜୁ କଲା ପୋଲିସ । ମୃତ୍ୟୁ ଦେବେନ୍ଦ୍ର ନାୟକଙ୍କ ପୁଅ ଡାକ୍ତର ରୋହନ ନାୟକଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି । ଘଟଣାରେ ଧକ୍କା ଦେଇଥିବା ହାଇୱା ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଚାଲିଛି ଜେରା । ସମ୍ବଲପୁର ଚିପିଲିମା ନିକଟରେ କାରକୁ ତିନି ଥର ଧକ୍କା ଦେଲା ହାଇୱା । ହାଇୱା ଧକ୍କାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି ।
ମୃତକ ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ଘନିଷ୍ଠ ସହଯୋଗୀ ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ମୂରଳୀଧର ଛୁରିଆ । ଏମାନେ ନାଉରୀ ନାୟକଙ୍କ ସହ ଭୁବନେଶ୍ବର ଆସିଥିଲେ। ନାଉରୀଙ୍କ ବାସଭବନରୁ ନିଜ କାରରେ ଚିପିଲିମା ଫେରିବା ବେଳେ କଟାପାଲି ନିକଟରେ ୩ ଥର ଧକ୍କା ଦେଇଛି ହାଇୱା । ପୋଲିସ ଧକ୍କା ଦେଇଥିବା ହାଇୱାକୁ ଜବତ କରିଛି। କେହି ଜାଣିଶୁଣି ଧକ୍କା ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ପୂର୍ବତନ ବିଧାୟକ ନାଉରୀ ନାୟକ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଘଟଣାର ତଦନ୍ତ ନେଇ ଦାବି କରିଛନ୍ତି ନାଉରୀ ନାୟକ ।