କନକ ବ୍ୟୁରୋ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପାକିସ୍ତାନ ଆର୍ମି ମୁଖ୍ୟ ଅସୀମ ମୁନିର ସହ ତୁଳନା କଲା ବିଜେପି । ସୋସିଆଲ ମିଡିଆରେ ବିଜେପି ଆଇଟି ସେଲ ଏକ ଫଟୋ ପୋଷ୍ଟ କରିଛି । ଯେଉଁଥିରେ ଗୋଟିଏ ଫଟୋରେ ମୁନିର ଓ ରାହୁଲଙ୍କ ଫଟୋକୁ ଏଡିଟ କରାଯାଇଛି ଓ କ୍ୟାପସନରେ ଲେଖାଯାଇଛି ସମାନ ଏଜେଣ୍ଡା । ଏଥିସହ ଦଳ କହିଛି ରାହୁଲ ହେଉଛନ୍ତି ଏ ଯୁଗର ଅସୀମ ମୁନିର । ଅପରେସନ ସିନ୍ଦୂରକୁ ନେଇ ଗୋଟିଏ ପଟେ କଂଗ୍ରେସ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଥିବା କହୁଛି । ଅନ୍ୟପଟେ ଯୁଦ୍ଧରେ କେତୋଟି ଯୁଦ୍ଧବିମାନ ନଷ୍ଟ ହୋଇଛି ସେ ନେଇ ବାରମ୍ବାର ପଚାରୁଛନ୍ତି ରାହୁଲ । ମାଲବ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ଥରେ ହେଲେ ପଚାରି ନାହାଁନ୍ତି ଯେ ଏହି ଉତ୍ତେଜନାରେ କେତେ ପାକିସ୍ତାନୀ ଜେଟ୍ ଖସାଇ ଦିଆଯାଇଛି । କିମ୍ବା କେତେ ପାକିସ୍ତାନୀ ବିମାନବନ୍ଦର ଉପରେ ଆକ୍ରମଣ କରି ଭାରତୀୟ ସେନା କେତେ ଜେଟ୍ ନଷ୍ଟ କରିଛି ।
ସୋମବାର ରାହୁଲ ଗାନ୍ଧୀ ନିଜର ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଭାରତୀୟ ଯୁଦ୍ଧ ବିମାନର କ୍ଷତି ବିଷୟରେ ସୂଚନା ମାଗିଥିଲେ । ରାହୁଲଙ୍କୁ ଜବାବ ଦେଇ ବିଜେପି ନେତା ଅମିତ ମାଲବ୍ୟ ଆଜି କିଛି ଏଭଳି ପୋଷ୍ଟ କରିଛନ୍ତି । ଉଲ୍ଲେଖନୀୟ ଯେ ପାକିସ୍ତାନ ବାରମ୍ବାର ଦାବି କରୁଛି ଯେ ସେ ଅପରେସନ ସିନ୍ଦୂର ସମୟରେ ପାଞ୍ଚଟି ଭାରତୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲା । କିନ୍ତୁ ଭାରତ ସରକାର ଏବଂ ଭାରତୀୟ ସେନା ଏହି ଅପରେସନ ସମୟରେ କୌଣସି କ୍ଷତି ହୋଇନଥିବା କହିଥିଲେ । ଏନେଇ ବିଜେପି ଅସନ୍ତୋଷ ପ୍ରକାଶ କରିବା ସହ ଏହି ଫଟୋ ପୋଷ୍ଟ କରି ଟାର୍ଗେଟ କରିଛନ୍ତି ।