କନକ ବ୍ୟୁରୋ: ବିହାର ବିଧାନସଭା ପାଇଁ ଏବେ ବଳ କଷୁଛି ବିଜେପି । ଗତ ସପ୍ତାହରେ ଏନେଇ ଗୃହମନ୍ତ୍ରୀ ଅମିତ ଶାହ ବିହାରର ନେତାମାନଙ୍କ ସହ ଏକ ଲମ୍ବା ବୈଠକ କରିଥିଲେ। ଯାହାପରେ ଏବେ ସେଠାରେ ବିଜେପି ଲଗାତାର ବଡ଼ ଆୟୋଜନ କରିବା ସହ ଭୋଟରଙ୍କ ନିଜ ପକ୍ଷକୁ ନେବାକୁ ଚେଷ୍ଟା ଆରମ୍ଭ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ, ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ବିଜେପି ସଭାପତି ବିହାରରେ ଗସ୍ତ କରିବା ସହ ସେଠାରେ ବଡ଼ ଧରଣର ସଭା କରିପାରନ୍ତି ବୋଲି ଜଣାପଡ଼ିଛି ।
ଖୁବ୍ଶୀଘ୍ର ନିର୍ବାଚନ!
ନିର୍ବାଚନ କମିସନ ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ ଆରମ୍ଭରେ ବିହାର ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବାର ସମ୍ଭାବନା ରହିଛି। ଏହା ପୂର୍ବରୁ, ବିଜେପି ଏହାର ଶୀର୍ଷ ନେତାମାନଙ୍କ ପାଇଁ ଏକ ବ୍ୟାପକ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡା ସେମାନଙ୍କ ଗସ୍ତ ମାଧ୍ୟମରେ କର୍ମୀମାନଙ୍କୁ ଉତ୍ସାହିତ କରିବେ ଏବଂ ସରକାରଙ୍କ କାର୍ଯ୍ୟପନ୍ଥା ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଇବେ।
କେଉଁ ନେତା କେବେ ଗସ୍ତ କରିବେ?
ମିଳିଥିବା ସୂଚନା ମୁତାବକ, ଜେପି ନଡ୍ଡା ସେପ୍ଟେମ୍ବର ୧୩ ତାରିଖରେ ପାଟନାରେ ବିହାର ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ, ଯେଉଁଥିରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯିବ। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୧୫ ତାରିଖରେ ପୂର୍ଣ୍ଣିଆରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏଙାସହ ଅମିତ ଶାହ ସେପ୍ଟେମ୍ବର ୧୮ ଏବଂ ୨୭ ତାରିଖରେ ବିହାର ଗସ୍ତ କରିବେ।
ଜାଣିରଖିବା ଉଚିତ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରେ ପଡୁଛି । ତେଣୁ ବିଜେପି ସାରା ଦେଶରେ ଏହିଦିନଠୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରିବ । ଏହି କ୍ରମରେ ବିହାରରେ ମଧ୍ୟ ଦଳ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ପ୍ଲାନ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।