କନକ ବ୍ୟୁରୋ : ରାଜ୍ୟରେ କୋଟି କୋଟି ଚିଟଫଣ୍ଡ ଜମାକାରୀ ଏବେ ବି ଟଙ୍କା ଫେରିପାଇବାକୁ ଅନାଇ ବସିଛନ୍ତି । ଏହାକୁନେଇ ମୁଖ୍ୟମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ପୂର୍ବରୁ ଯାହା କହିଥିଲେ ତାହାକୁନେଇ  ବଡ଼ ଜମାକାରୀଙ୍କ ମଧ୍ୟରେ ଟଙ୍କା ଫେରିପାଇବା ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା । କିନ୍ତୁ ଆଜି ବିଜେପି ରାଜ୍ୟ ସଭାପତି ସାମ୍ନାକୁ ଆସି ଚିଟଫଣ୍ଡ ଜମାକାରୀଙ୍କୁ ଆଶ୍ୱସ୍ତ କରିଛନ୍ତି । କହିଛନ୍ତି ଛୋଟ, ବଡ଼ ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇବେ ମୋହନ ସରକାର । ଏବେ ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ ହେବ । ଆଗକୁ ବିଭିନ୍ନ କ୍ଷେତ୍ରରୁ ତଥ୍ୟ ଆଣି ଜମାକାରୀଙ୍କ ନୂଆ ତାଲିକା ପ୍ରସ୍ତୁତ ହେବ ଓ ବଡ଼ ଜମାକାରୀଙ୍କୁ ମଧ୍ୟ ଟଙ୍କା ଫେରାଇବେ ସରକାର। ଏହାପରେ ଚିଟଫଣ୍ଡ କେଳେଙ୍କାରୀର ଗୁମର ଖୋଲିବ, ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନମୋହନ ସାମଲ ।

Advertisment

ଚିଟଫଣ୍ଡ ଟଙ୍କା ଫେରସ୍ତକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ କଳି । କେବଳ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସରକାର ଭଣ୍ଡାଉଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । କହିଛନ୍ତି ବିଜେପି ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲେ ଗୋଟେ, କିନ୍ତୁ କାର୍ଯ୍ୟକାରୀ କରୁଛନ୍ତି ଆଉଗୋଟେ । 

ବିଭିନ୍ନ ଚିଟଫଣ୍ଡ କମ୍ପାନିରେ ୧୦ ହଜାରରୁ ଅଧିକ ଟଙ୍କା ଲଗାଇଛନ୍ତି ପ୍ରାୟ ଅଢ଼େଇ ଲକ୍ଷ ଜମାକାରୀ । ବର୍ଷକ ଭିତରେ ୧ ଲକ୍ଷ ୨୬ ହଜାରରୁ ଅଧିକ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇସାରିଛନ୍ତି ସରକାର । ଏବେ ପ୍ରଶ୍ନ ଉଠୁଛି କେବେ ସୁଦ୍ଧା ଚିହ୍ନଟ ହେବେ ବଡ଼ ଜମାକାରୀ ଓ କେତେ ତାଙ୍କୁ ସରକାର ଟଙ୍କା ଫେରାଇବେ ।