କନକ ବ୍ୟୁରୋ : ଖୋଦ୍ ବିଜେଡି ଦଳର ନେତାମାନେ ବିଜେଡିର ତଥାକଥିତ ନମ୍ବର ଦୁଇ ମୁଖିଆଙ୍କ ବିରୋଧରେ ସ୍ବର ଉଠାଇବା ପରେ ଏବେ ବିଜେପିର ବରିଷ୍ଠ ନେତା ତଥା ବିଜେପିର ବିଧାୟକ ଜୟନାରାୟଣ ମିଶ୍ର ଦେଇଛନ୍ତି ବିସ୍ଫୋରକ ବୟାନ । କହିଛନ୍ତି , ବିଜେଡିର ଭିତିରି ମୁଖିଆ ବୋଲାଉଥିବା ବ୍ୟକ୍ତିଙ୍କ ବିରୋଧରେ ଯେତେ ସ୍ବର ଉଠିବ ସେ ସେତେ ପଦାରେ ପଡିବେ । ଓଡିଶାର ଖଣି, ପାଣି, ସବୁ କିଛି ଲୁଟିନେଲେ । ସେ ବ୍ୟକ୍ତିଙ୍କୁ ଛଡାଯିବା ଉଚିତ ନୁହେଁ । ଏସବୁ ଜାଣି ମଧ୍ୟ ନବୀନ ବାବୁ ଚୁପ୍ । ତାଙ୍କରି ଲାଗି ଏତେ ସରି ବୁଡିଲା ପରେ ବି ତାଙ୍କ ବୁଦ୍ଧି ଉଦୟ ହେଉନି । ତାଙ୍କ ଭିତରେ କି ପ୍ରୀତି ମଧୁର ସମ୍ପର୍କ ଅଛି କିଏ କହିବ ? ତାଙ୍କ ଭିତରେ ସୂର୍ଯ୍ୟ , କଇଁର ସମ୍ପର୍କ ।
ଆହୁରି ମଧ୍ୟ କହିଛନ୍ତି, ବିଜେଡିରେ ଏତେ ନେତା ଅସନ୍ତୁଷ୍ଟ ଅଛନ୍ତି ତାହା କହିହେଉନି । ବିଜେପି ଖାଲି ଯାହା ବିଜେଡିକୁ ପାଣି ପବନ ଦେଇ ବଞ୍ଚାଇ ରଖିଛି । ଯେଉଁଦିନ ବିଜେପି ହ୍ବିସିଲ୍ ଫୁଙ୍କିବ ସେଦିନ ବିଜେଡି ଗୋଲ୍ ହୋଇଯିବ । ବିଜେଡିର ସ୍ଥିତି ଏବେ ତାସ୍ ପତ୍ତା ଭଳି । ବିଜେଡି ଲୋପ ପାଇବାକୁ ବେଶି ଦିନ ଲାଗିବନି । ବିଜେଡିର ସ୍ଥିତି ବିଜେପିର ଇଚ୍ଛାଧୀନ ବ୍ୟାପାର । ବିଜେଡି କେତେଦିନ ବଞ୍ଚି ରହିବ ତାହା ବିଜେପି ଉପରେ ନିର୍ଭର କରୁଛି । ଯେଉଁ ଦିନ ବିଜେପିର ନେତୃତ୍ବ ଚାହିଁବେ , ହ୍ବିସିଲ୍ ଫୁଙ୍କିବେ ଆଉ ସେ ଦିନ ହିଁଽ ବିଜେଡି ଭାଙ୍ଗିଯିବ ।