କନକ ବ୍ୟୁରୋ : ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିସାରିଛି । କ୍ଷମତା ଦଖଲ କରିବା ପାଇଁ ଚାଲିଛି ଜୋରଦାର ପ୍ରଚାର । ବିଜେପି ସରକାର ଗଠନ ପାଇଁ ବିଜୟ ଫର୍ମୁଲା ଖୋଜିଛି ଏବଂ ସେହି ଆଧାରରେ ନିଜର ନିର୍ବାଚନ ରଣନୀତି ତିଆରି କରିଛି । କୌଣସି ଦଳ ସହ ମେଣ୍ଟ କରିବା ପରିବର୍ତ୍ତେ ବିଜେପି ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ଏଭଳି ପରିସ୍ଥିତିରେ ଦଳ ଖୋଲାଖୋଲି ଭାବେ ଜମ୍ମୁ ଅଞ୍ଚଳରେ ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିବ । କିନ୍ତୁ ମୁସଲମାନ ବହୁଳ ଅଞ୍ଚଳ କଶ୍ମୀରର ଆସନ ପାଇଁ 'ବେକଡୋର ପ୍ଲାନ୍' ପ୍ରସ୍ତୁତ କରିଛି । ଏଭଳି ସ୍ଥିତିରେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ସରକାର ଗଢ଼ିବାର ସ୍ୱପ୍ନ ସାକାର ହେବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରବିବାର ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଦଳର ଶୀର୍ଷ ନେତୃତ୍ୱ ଉପସ୍ଥିତ ଥିଲେ ।  ୫୦ରୁ ଅଧିକ ପ୍ରାର୍ଥୀଙ୍କ ନାମ ମଧ୍ୟ ଚୂଡ଼ାନ୍ତ ହୋଇଛି । ଏହାବ୍ୟତୀତ ବାକି ଥିବା ବିଧାନସଭା ଆସନ ପାଇଁ ଦଳ ବଡ଼ ଯୋଜନା କରିଛି । ଜମ୍ମୁ-କଶ୍ମୀରରେ ବିଜେପି ଏହି ଫର୍ମୁଲାରେ ଲୋକସଭା ନିର୍ବାଚନ ଲଢ଼ିଥିବା ବେଳେ ଏବେ ବିଧାନସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି । ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ଲଢ଼ିବ। କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ବିଜେପି ଜମ୍ମୁ ଅଞ୍ଚଳର ସମସ୍ତ ୪୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି । ଏହାବ୍ୟତୀତ କଶ୍ମୀର ଅଞ୍ଚଳର ୪୭ଟି ବିଧାନସଭା ଆସନରୁ ମାତ୍ର ୨୦ରୁ ୨୫ଟି ଆସନରେ ଲଢ଼ିବାକୁ ଯୋଜନା କରିଛି ଏବଂ ଅବଶିଷ୍ଟ ଆସନରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିବ ।