କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ୭୧ ଜଣ ସ୍ଥାନ ପାଇଛନ୍ତି । ଖୁବଶୀଘ୍ର ଦଳ ଅବଶିଷ୍ଟ ୩୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ । ଏନଡିଏରେ ଆସନ ବୁଝାମଣା ଅନୁସାରେ ବିହାରରେ ବିଜେପି ୧୦୧ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ବହୁ ବିଧାୟକ ଓ ବଡ଼ନେତା ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଛନ୍ତି ।
ବିହାର ବିଧାନସଭାର ମୋଟ୍ ୨୪୩ ଆସନ ମଧ୍ୟରୁ ବିଜେପି ୧୦୧ ଆସନରେ ପ୍ରାର୍ଥୀ ଦେବ ବୋଲି ଦୁଇଦିନ ତଳେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ- ଏନଡିଏ ବୈଠକରେ ନିଷ୍ପତ୍ତି ହୋଇଥିଲା। ମଙ୍ଗଳବାର ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ତାଲିକାରେ ୭୧ ଜଣ ସ୍ଥାନ ପାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ (ତାରାପୁର), ବିଜୟ କୁମାର ସିହ୍ନା (ଲଖିସରାଇ), ମନ୍ତ୍ରୀ ନିତିନ ନବୀନ (ବାଙ୍କୀପୁର) ଓ ରାମକୃପାଳ ଯାଦବ (ଦାନାପୁର) ଆସନରୁ ପ୍ରାର୍ଥୀ ହେବେ। ଦଳରେ ବହୁ ବିଚାରବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ବାଚସ୍ପତି ନନ୍ଦକିଶୋର ଯାଦବଙ୍କ ସମେତ ୯ ଜଣ ବିଧାୟକଙ୍କୁ ବିଜେପି ଟିକେଟ୍ ଦେଇନାହିଁ । କିଛି ବଡ଼ନେତାଙ୍କୁ ଏଥର ବିଜେପି ରିପିଟ୍ କରିଛି । ମଙ୍ଗଳ ପାଣ୍ଡେୟ (ସିୱାନ), ସଞ୍ଜୟ ସରାବଗୀ (ଦରଭଙ୍ଗା), ନୀରଜ ବବଲୁ (ଛାତାପୁର) ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ (ବେଟିଆ) ଏବଂ ତାରକିଶୋର ପ୍ରସାଦ (କଟିହାର) ଆସନରୁ ବିଜେପି ପ୍ରାର୍ଥୀ ହେବେ ।
ଏନଡିଏରେ ବିଜେପି ଭାଗରେ ପଡ଼ିଥିବା ଆଉ ୩୦ଟି ଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନା ଘୋଷଣା କରାଯିବ ।