କନକ ବ୍ୟୁରୋ: ଜାମ୍ମୁ କାଶ୍ମୀର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଥମ ପର୍ୟ୍ୟାୟରେ ମୋଟ ୪୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଯେଉଁମାନେ କି ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସୂଚନାଯୋଗ୍ୟ ଯେ, ଜାମ୍ମୁକାଶ୍ମୀରରେ ତିନିଟି ପର୍ୟ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି, ଆଉ ଆଜି ଏଥିପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । 

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନିର୍ମଳ ସିଂହଙ୍କୁ ବିଜେପି ଟିକେଟ୍ ଦେଇନି । ୨୦୧୪ ମସିହାରେ ନିର୍ମଳ ସିଂହ ବିଲାବର ବିଧାନସଭା ଆସନରୁ ଜିତି ବିଧାନସଭାକୁ ଆସିଥିଲେ ।

ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନକୁ ନେଇ ରବିବାର ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ବସିଥିଲା । ଏହି ବୈଠକରେ ପିଏମ୍ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ପ୍ରମୁଖ ନେତା ସାମିଲ ହେଇଥିଲେ  । ଏହି ବୈଠକରେ ନିର୍ବାଚନୀ ରଣନୀତି, ମୁଦ୍ଦା ଓ ପ୍ରାର୍ଥୀଙ୍କ ନାଁକୁ ନେଇ ବିଚାରବିମର୍ଶ ହେଇଥିଲା । ତା ସହ ସମ୍ଭାବିତ ରାଲିକୁ ନେଇ ମଧ୍ୟ ଚର୍ଚ୍ଚା କରାଯାଇଥିଲା । ଏହି ମିଟିଂ ପରେ ଅନୁମାନ କରାଯାଉଥିଲା ଯେ, ଖୁବଶୀଘ୍ର ବିଜେପି ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ, ଆଉ ସତକୁ ସତ ବିଜେପି ଆଜି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ମିଳିଥିବା ସୂଚନା ମୁତାବକ, ଜାମ୍ମୁକାଶ୍ମୀରରେ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ପାଇଁ ପ୍ରଚାର କରିବେ । ମୋଦୀ ସେଠାରେ ୮ରୁ ୧୦ଟି ରାଲି କରିପାରନ୍ତି ବୋଲି ସୂଚନା ମିଳିଛି । ତେବେ ଆସନ୍ତା ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ ତାରିଖରେ ଜାମ୍ମୁକାଶ୍ମୀରରେ ଭୋଟ୍ ପଡ଼ିବାକୁ ଅଛି । ମୋଟ ୯୦ଟି ଆସନରେ ମତଦାନ ହେବ ।