କନକ ବ୍ୟୁରୋ: ରାଜ୍ୟସଭାରେ ବଢ଼ିଲା ବିଜେପିର ବଳ । ଉପ-ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସଂସଦର ଉଚ୍ଚ ସଦନରେ ବିଜେପିର ବଳ ବଢ଼ିଛି । ରାଜ୍ୟସଭାରେ ଦଳର ସାଂସଦ ସଂଖ୍ୟା ଶହେ ଅତିକ୍ରମ କରିଥିବାବେଳେ, ଏବେ ଏହି ସଂଖ୍ୟା  ୧୦୨ରେ ପହଞ୍ଚିଛି । ନିକଟରେ ଉଜ୍ଜଳ ନିକମ, ହର୍ଷବର୍ଦ୍ଦନ ଶୃଙ୍ଗଳା ଏବଂ ସି. ସଦାନନ୍ଦନ ମାଷ୍ଟର ମନୋନୀତ ସଦସ୍ୟ ଭାବେ ରାଜ୍ୟସଭାରେ ସାମିଲ ହୋଇଥିଲେ । ଆଉ ଏହାପରେ ରାଜ୍ୟସଭାରେ ବଢ଼ିଛି ବିଜେପିର ବଳ ।

Advertisment

ତେବେ ଭାରତୀୟ ରାଜନୀତିରେ ବିଜେପି ହେଉଛି ଦ୍ୱିତୀୟ ରାଜନୈତିକ ଦଳ ଯାହାର କି ରାଜ୍ୟସଭାରେ ସାଂସଦ ସଂଖ୍ୟା ଶହେ ପାର୍ କରିଛି । ଏହା ପୂର୍ବରୁ ୧୯୮୮ରୁ  ୧୯୯୦ ଭିତରେ କଂଗ୍ରେସ ହି ଏପରି କରିପାରିଥିଲା । ଏହାପରେ  ୨୦୨୨ରେ ବିଜେପି ଏପରି କରିପାରିଥିଲା । ସେତେବେଳେ ରାଜ୍ୟସଭାରେ ବିଜେପିର ସାଂସଦ ସଂଖ୍ୟା ଥିଲା  ୧୦୧ । 

ଅନ୍ୟପଟେ ବିଜେପି ସହିତ ଏହାର ସହଯୋଗୀ ଦଳକୁ ମିଶାଇ ଏନଡିଏ ପାଖରେ ଏବେ ରାଜ୍ୟସଭାରେ ୧୩୪ ସାଂସଦ ଅଛନ୍ତି । ଯାହାକି ବହୁମତଠାରୁ ବହୁତ ଆଗରେ । ଆପଣ ଜାଣିଛନ୍ତି ଯେ, ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୪୫, ଯାହାକି ବୃଦ୍ଧି ପାଇଁ ୨୫୦ ହୋଇପାରିବ । ଏହା ଭିତରୁ ୨୩୮ ଜଣ ନିର୍ବାଚିତ ହୋଇଥିବାବେଳେ, ୧୨ ଜଣ ମନୋନୀତ । ତେବେ ଆଗକୁ ଯେହେତୁ ଉପ-ରାଷ୍ଟ୍ରପତି ନିର୍ବାଚନ ହେବାକୁ ଅଛି, ତେଣୁ ଏହା ପୂର୍ବରୁ ରାଜ୍ୟସଭାରେ ବିଜେପିର ବଳ ବଢ଼ିବା ଦଳ ପାଇଁ ନିଶ୍ଚିତ ପକ୍ଷେ ଭଲ ଖବର ।

ଜାଣିରଖିବା ଉଚିତ ଯେ, ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଆସନ୍ତା ଅଗଷ୍ଟ ୨୧ ତାରିଖରେ ଉପ-ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରାଯିବ । ଆଉ ସେପ୍ଟେମ୍ବର ୯ ତାରିଖରେ ଉପ-ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ । ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ପରେ, ଏହି ନିର୍ବାଚନ ହେଉଛି । ତେଣୁ ବିଜେପି ଏହି ନିର୍ବାଚନରେ ବାଜିମାତ୍ କରିବା ସହିତ ଉପ-ରାଷ୍ଟ୍ରପତି ପଦ ନିଜ ପାଖରେ ରଖିବାକୁ ଚାହିବ । 

ବିରୋଧୀଙ୍କଠୁ ଆଗରେ ଏନଡିଏ

ଉପ-ରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟାବଳ ଦୃଷ୍ଟିରୁ ଏନଡିଏ, ବିରୋଧୀଙ୍କଠାରୁ ଯଥେଷ୍ଟ ଆଗରେ ରହିଛି । ବିଜେପି ପାଖରେ ଏବେ ଲୋକସଭାରେ ୨୪୦ ସାଂସଦ ଥିବାବେଳେ, ରାଜ୍ୟସଭାରେ ୧୦୨ ସଦସ୍ୟ ଅଛନ୍ତି । ଏହାସହ ନିଜ ସହଯୋଗୀଙ୍କୁ ମିଶାଇ ଏବେ ଉଭୟ ଗୃହରେ ଏନଡିଏର ସଦସ୍ୟ ସଂଖ୍ୟା ୪୫୭ରୁ ଅଧିକ ଅଛି । ଅନ୍ୟପଟେ ଲୋକସଭାରେ କଂଗ୍ରେସର ୯୯ ସାଂସଦ ଥିବାବେଳେ, ରାଜ୍ୟସଭାରେ ୨୭ ସାଂସଦ ଅଛନ୍ତି । ଏହାସହ ଇଣ୍ଡି ମେଣ୍ଟ ପାଖରେ ରାଜ୍ୟସଭା ଓ ଲୋକସଭାକୁ ମିଶାଇ ମୋଟ ୩୦୦ରୁ ଅଧିକ ସାଂସଦ ଅଛନ୍ତି । ହେଲେ ଏନଡିଏଠାରୁ କିନ୍ତୁ ଏହା ବହୁତ ପଛରେ । ତେଣୁ ଉପ-ରାଷ୍ଟ୍ରପତି ନିର୍ବାଚନରେ, ସେପରି କିଛି ବଡ଼ ଆଶ୍ଚର୍ୟ୍ୟ ନ ଘଟିଲେ ଏନଡିଏ ପ୍ରାର୍ଥୀ ହିଁ ବିଜୟୀ ହେବା ସୁନିଶ୍ଚିତ ।

୨୦୨୨ରେ ହାରିଥିଲେ ବିରୋଧୀ

୨୦୨୨ ମସିହାରେ ଯେତେବେଳେ ଉପ-ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହୋଇଥିଲା, ସେତେବେଳେ ବିରୋଧୀ ଏହି ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହୋଇଥିଲେ । ସେତେବେଳେ ଏହି ନିର୍ବାଚନରେ ମୋଟ ୭୨୬ ଭୋଟ୍ ପଡ଼ିଥିଲା । ଯାହା ଭିତରେ ଜଗଦୀପ ଧନଖଡ଼ଙ୍କୁ ୫୨୮ ଭୋଟ୍ ମିଳିଥିବାବେଳେ, ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍ ଅଲ୍ୱାଙ୍କୁ ୧୮୨ ଖଣ୍ଡ ଭୋଟ୍ ମିଳିଥିଲା । ହେଲେ ଏଥର କିନ୍ତୁ ନିର୍ବାଚନର ଫଳାଫଳ କଣ ହେଉଛି, ତାହା ଦେଖିବାକୁ ବାକି ରହିଲା...