କନକ ବ୍ୟୁରୋ: ୫ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ବର୍ଷକ ଭିତରେ ୨୮ ହଜାର ନିଯୁକ୍ତିରେ ମୋହର ମାରି ସାରିଲେଣି । ଦୁର୍ନୀତିମୁକ୍ତ ଓଡ଼ିଶା ପାଇଁ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି ମୋହନ ସରକାର । ଯାହାକୁ ପୂରା କରିବ ସରକାରଙ୍କ ନୂଆ ୱାର୍କ ପାସବୁକ୍ ବ୍ୟବସ୍ଥା ।
- ନିଯୁକ୍ତିକୁ ହଁ, ଦୁର୍ନୀତିକୁ ନା’
- ଦୁର୍ନୀତିଖୋର୍ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ
ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଆଇଏଏସ ଧୀମାନ ଚକମା ପଡିବା ପରେ ସରକାରୀ ଅଫିସରଙ୍କୁ କଡା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବନି ବୋଲି ରୋକଠୋକ ଶୁଣାଇଛନ୍ତି ମୋହନ । ଦୁର୍ନୀତିମୁକ୍ତ ବ୍ୟବସ୍ଥା ପାଇଁ ନୂଆ ଷ୍ଟ୍ରାଟେଜି ଆପଣାଇବାକୁ ମନସ୍ଥିର କରିଛନ୍ତି ସରକାର । ଦୁର୍ନୀତିରେ ବ୍ରେକ୍ ଦେବାକୁ ଆସିବ ୱାର୍କ୍ ପାସବୁକ୍ ବ୍ୟବସ୍ଥା ।
- ୱାର୍କ ପାସବୁକ୍ରେ ପ୍ରକଳ୍ପର ସବୁ ତଥ୍ୟ ରହିବ
- ବ୍ୟୟ ଅଟକଳ, ଖର୍ଚ୍ଚ ତଥ୍ୟ ଉପଲବ୍ଧ ରହିବ
- ଖର୍ଚ୍ଚ ଟଙ୍କା ଅନୁଯାୟୀ ପ୍ରକଳ୍ପର ଅଗ୍ରଗତି ସ୍ପଷ୍ଟ ହେବ
- ୱାର୍କ ପାସବୁକରୁ ଦୁର୍ନୀତି ଖିଅ ଧରାପଡ଼ିବ
ଏସବୁ ଭିତରେ ରାଜ୍ୟ ସରକାରଙ୍କ ଦଶମ ନିଯୁକ୍ତି ମେଳାରେ ୯୬୪ ଜଣଙ୍କୁ ନୂଆ ନିଯୁକ୍ତି ମିଳିଛି । ନବନିଯୁକ୍ତଙ୍କୁ ଦୁର୍ନୀତି ଠାରୁ ଦୂରେଇ ରହିବାକୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚାକିରି ଆରମ୍ଭ ହେଉ କି ଚାକିରିର ଶେଷ ଦିନ, ଦୁର୍ନୀତିର ଅଭିଯୋଗ ଆସିଲେ ଛଡ଼ାଯିବନି ବୋଲି ଚେତାବନୀ ଦେଇଛନ୍ତି ମୋହନ । ଏହାସହ ପୂର୍ବ ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ଯୁବବର୍ଗଙ୍କ ନିଯୁକ୍ତିରେ ପୂର୍ବ ସରକାର ବାଧା ସୃଷ୍ଟି କରୁଥିଲେ ବୋଲି କହିଛନ୍ତି ।
ବର୍ଷେ ଭିତରେ ୨୮ ହଜାରରୁ ଊର୍ଦ୍ଧ୍ୱ ସରକାରୀ ଓ ୪୫ ହଜାର ବେସରକାରୀ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ୨୦୨୬ ଜୁନ୍ ସୁଦ୍ଧା ସରକାରୀ ନିଯୁକ୍ତି ୬୫ ହଜାର ଟପିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ।