କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଟିକେ ଶାନ୍ତି ପଡିବା ପରେ ଏବେ ଦେଶର ରାଜନୀତି ଉପରେ ରାଜନୈତିକ ବିଶ୍ଳେଷକଙ୍କ ନଜର । ରାଜନୀତି ମହଲରେ ସବୁଠାରୁ ଅଧିକ ଚର୍ଚ୍ଚା ବିଜେପି ସଭାପତିଙ୍କୁ ନେଇ । କାରଣ ଏବେ ବିଜେପିର ସଭାପତି ଥିବା ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ବି ତାଙ୍କ ସ୍ଥାନରେ କିଏ ସଭାପତି ହେବ ତାହା ଦଳ ଘୋଷଣା କରିନାହିଁ । କିଛିଦିନ ତଳେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା, ହେଲେ କୌଣସି କାରଣରୁ ଏହି ଚର୍ଚ୍ଚା ଶୀତଳ ଭଣ୍ଡାରକୁ ଚାଲିଯାଇଥିଲା । ପୁଣି ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜେ.ପି ନଡ୍ଡାଙ୍କ ଉତ୍ତରାଧିକାରୀ ନେଇ ଅନେକ ନେତାଙ୍କ ନାମ ସାମ୍ନାକୁ ଆସିଛି । ହେଲେ ଏକ ରିପୋର୍ଟ ମୁତାବକ ଏବେ ଏହି ଚର୍ଚ୍ଚା ଭିତରେ କେବଳ ୨ ଜଣଙ୍କ ନାମକୁ ନେଇ ଆଲୋଚନା ହେଉଛି ।
ରିପୋର୍ଟ ମୁତାବକ ବିଜେପି ସଭାପତି ପଦ ପାଇଁ ଯେଉଁ ୨ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି ସେ ଦୁଇଜଣ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ । ମୋଦୀ ସରକାର ଯେଭଳି ଭାବେ ଜାତିଗତ ଜନଗଣନାକୁ ନେଇ ସାମାଜିକ ସମୀକରଣ ଉପରେ ଧ୍ୟାନ ଦେଇଛି, ସେଥିରୁ ଅନୁମାନ କରାଯାଉଛି କି, ଦଳ ସଭାପତି ପଦ ପାଇଁ ଜଣେ ପଛୁଆବର୍ଗର ନେତାଙ୍କୁ ଅଗ୍ରାଧିକାର ଦେଇପାରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବ ଦୁଇଜଣଯାକ ପଛୁଆବର୍ଗରୁ ଆସିଛନ୍ତି । ଏହାସହ ଏହି ଦୁଇନେତା ଦୀର୍ଘଦିନ ହେବ ସଂଗଠନରେ ସକ୍ରିୟ ଭୂମିକା ନିର୍ବାହ କରୁଛନ୍ତି । ଓଡ଼ିଶାରେ ବିଜେପି ବହୁମତ ପାଇବା ପରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲେ ବି ସେ କେନ୍ଦ୍ରମନ୍ତ୍ରୀ ପଦ ଛାଡି ନଥିଲେ ।
ରିପୋର୍ଟ ମୁତାବକ ଚଳିତମାସ ଶେଷ ସୁଦ୍ଧା ଦଳ ସଭାପତିଙ୍କ ନାମ ଘୋଷଣା କରିପାରେ । ଅକ୍ଟୋବର କିମ୍ବା ନଭେମ୍ବର ମାସରେ ହେବାକୁ ଥିବା ବିହାର ନିର୍ବାଚନ ନୂଆ ସଭାପତିଙ୍କ ନେତୃତ୍ୱରେ ବିଜେପି ଲଢିପାରେ । ହେଲେ ଏପର୍ଯ୍ୟନ୍ତ ଦଳ ତରଫରୁ ଏନେଇ କୌଣସି ସୂଚନା ମିଳିନାହିଁ ।
ବିଜେପି ରାଜନୀତି ଉପରେ ନଜର ରଖିଥିବା ବିଶେଷଜ୍ଞଙ୍କ କହିବା କଥା ଉଭୟ ଧର୍ମେନ୍ଦ୍ର ଓ ଭୂପେନ୍ଦ୍ରଙ୍କ ନେତୃତ୍ୱରେ ଦଳ ଅନେକ ରାଜ୍ୟରେ ଭଲ ପ୍ରଦର୍ଶନ କରିଛି । ହେଲେ ଅନୁଭବ ଓ ଅଭିଜ୍ଞତା ଆଧାରରେ ଏହି ପଦ ପାଇଁ ଭୂପେନ୍ଦ୍ରଙ୍କ ଠାରୁ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ହେଲେ ଶେଷ ନିଷ୍ପତ୍ତି ଦଳର ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ନିଆଯିବ ।