କନକ ବ୍ୟୁରୋ : ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ଥିବାବେଳେ ଦୁଇ ବର୍ଷରୁ ଅଧିକ ସମୟ ଧରି ବିରୋଧୀମାନେ ତାଙ୍କର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଉଥିଲେ । ବିଜେପି ଏବେ ଏପରି ଜଣେ ଉତ୍ତରାଧିକାରୀଙ୍କୁ ଚୟନ କରିଛି ଯିଏ କି ପୂରା ଅଲଗା । ସିପି ରାଧାକ୍ରିଷ୍ଣନ ଜଣେ ଦକ୍ଷିଣ ଭାରତୀୟ ନେତା ଯିଏ କି ଜଣେ ଜନସଂଘର ଉତ୍ପାଦ । ସେ ଧନଖଡ଼ଙ୍କ ପରି ଆବେଗପୂର୍ଣ୍ଣ ଭାଷା ବ୍ୟବହାର କରନ୍ତି ନାହିଁ । ଜାଠ ଆନ୍ଦୋଳନ ମଧ୍ୟରେ ଧନଖଡ଼ଙ୍କୁ ୨୦୨୨ରେ ଚୟନ କରାଯାଇଥିଲା, ଯେଉଁଥିରେ ବାର୍ତ୍ତା ଦିଆଯାଇଥିଲା ଯେ ଜାଠମାନେ ଜାତୀୟ ଶକ୍ତି ଢାଞ୍ଚାର ଏକ ଅଂଶ ଏବଂ ତାଙ୍କ ସ୍ବରକୁ ସରକାର କେବେହେଲେ ଅଣଶୁଣା କରୁନାହାନ୍ତି ।
ସିପି ରାଧାକ୍ରିଷ୍ଣନଙ୍କ ଚୟନ ଓବିସି ସାମାଜିକ ଇଞ୍ଜିନିୟରିଂ ଏବଂ ଦକ୍ଷିଣରେ ବିଜେପିର ସମ୍ପ୍ରସାରଣ ଯୋଜନାର ସଙ୍କେତ ଦେଇଥାଏ । ନିକଟରେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ନିକଟରେ ରାଜନୈତିକ ଯୋଗାଯୋଗ ମାଧ୍ୟମରେ ରାଧାକ୍ରିଷ୍ଣନ ଡିଏମ୍କେର ତୀବ୍ର ସମାଲୋଚନା ବିରୋଧରେ କେନ୍ଦ୍ରକୁ ସମର୍ଥନ କରିଥିଲେ । ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ମନ୍ତବ୍ୟକୁ ମଧ୍ୟ ସେ ବିରୋଧ କରି ସେ ପିଲା ନୁହନ୍ତି ବୋଲି ମନ୍ତବ୍ୟ ଦେବା ସହ ମହାରାଷ୍ଟ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ତାଙ୍କ ହସ୍ତକ୍ଷେପ ତାଙ୍କର ଅନୁଷ୍ଠାନିକ ଅଭିଜ୍ଞତା ଓ ଆଦର୍ଶଗତ ସମନ୍ୱୟ ଉପରେ କେନ୍ଦ୍ରୀଭୂତ ଥିଲା । ଆକ୍ରମଣାତ୍ମକ ଓକିଲ ଓ ସ୍ପଷ୍ଟବାଦୀ ରାଜନେତା ଧନଖଡ଼ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ କାର୍ଯ୍ୟ କରିବା ପରେ ତାଙ୍କୁ ପଦୋନ୍ନତି ମିଳିଥିଲା, ଯେଉଁଠାରେ ମମତା ବାନାର୍ଜୀ ସରକାରଙ୍କ ସହ ତାଙ୍କର ସମ୍ପର୍କ ନିୟମିତ ଭାବରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଧନଖଡ଼ଙ୍କୁ ବିରୋଧୀମାନେ ଦଳୀୟ ବ୍ୟକ୍ତିତ୍ୱ ଭାବେ ଦେଖୁଥିଲେ ।
କିନ୍ତୁ ଏଥର ରାଧାକ୍ରିଷ୍ଣନଙ୍କ ସ୍ୱଭାବ ସାମ୍ବିଧାନିକ ଭୂମିକା ସହ ଅଧିକ ଭଲ ଭାବରେ ମେଳ ଖାଉଛି, ଯାହାଙ୍କୁ ଏକ ସଙ୍କେତ ଭାବରେ ଚୟନ କରାଯାଇଛି ଯେ ରାଜ୍ୟସଭାକୁ ଆକ୍ରୋଶ ନୁହେଁ ବରଂ ସନ୍ତୁଳନ ଦରକାର । ରାଧାକ୍ରିଷ୍ଣନ ମଧ୍ୟ ଧନଖଡ଼ଙ୍କ ତୁଳନାରେ ବିଜେପିର ଆଦର୍ଶଗୁରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ସହିତ ଅଧିକ ଜଡ଼ିତ । ଧନଖଡ଼ ଏକ ଆଇନଗତ ଓ ରାଜନୈତିକ ପୃଷ୍ଠଭୂମିରୁ ଆସିଥିଲେ ଏବଂ ଆର୍ଏସ୍ଏସ୍ ସହିତ ତାଙ୍କର କୌଣସି ଦୀର୍ଘ ସମ୍ପର୍କ ନ ଥିଲା । ତାଙ୍କୁ ଆଦର୍ଶଗତ ଆଭ୍ୟନ୍ତରୀଣ ନେତା ଅପେକ୍ଷା ଏକ ବ୍ୟାବହାରିକ ରାଜନୈତିକ ଚୟନ ଭାବରେ ଅଧିକ ଦେଖାଯାଉଥିଲା । ଅପରପକ୍ଷେ ରାଧାକ୍ରିଷ୍ଣନ ୧୭ ବର୍ଷ ବୟସରୁ ଆର୍ଏସ୍ଏସ୍ ଓ ଜନସଂଘ ସହ ସମ୍ପର୍କ ରଖିଛନ୍ତି । ରାଜ୍ୟସଭାର ଅଧ୍ୟକ୍ଷ ଭାବରେ ଧନଖଡ଼ ତୀବ୍ର ହସ୍ତକ୍ଷେପ, ଆଇନଗତ ଯୁକ୍ତି ଓ ମୁହାଁମୁହିଁ ଆଭିମୁଖ୍ୟ ପାଇଁ ଜଣାଶୁଣା ଥିଲେ । କିନ୍ତୁ ସଂସଦ ସୁରୁଖୁରୁରେ ଚାଲିବା ଏପରି ବ୍ୟକ୍ତିତ୍ୱ ଉପରେ ନିର୍ଭର କରେ ଯିଏ ଝଡ଼କୁ ଶାନ୍ତ କରିପାରିବେ । ରାଧାକ୍ରିଷ୍ଣନ ଏଥିପାଇଁ ଉପଯୁକ୍ତ ବୋଲି ମନେ କରାଯାଉଛି । ଏସବୁ ଦୃଷ୍ଟିରୁ ବିଜେପି ପକ୍ଷରୁ ପୂର୍ବ ଉପରାଷ୍ଟ୍ରପତିଙ୍କୁ ଚୟନ ବଦଳରେ ନୂଆ ଉପରାଷ୍ଟ୍ରପତି ଚୟନ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ୧୮୦ ଡିଗ୍ରିର ମୋଡ଼ ବୋଲି ଚର୍ଚ୍ଚା ହେଉଛି ।